top of page
Search

ହାସ୍ୟୋଦ୍ଦୀପକ ଗ୍ୟାସ (LAUGHING GAS)

Aug 17, 2020
2 min read

କିଏ ହସିବାକୁ ଇଚ୍ଛା କରେ ନାହିଁ? କୌଣସି ହାସ୍ୟାତ୍ମକ ଜିନିଷ ବା ଘଟଣାଟେ ଦେଖିବା ମାତ୍ରେ ଆମେ ହସିବାକୁ ଲାଗିଥାଉ । ତେବେ ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ ଅନ୍ୟାନ୍ୟ ପଦ୍ଧତି ଦ୍ୱାରା ମଧ୍ୟ ବିନା କାରଣରେ ଆମେ ହସିପାରିବା । ନା ନା, ମୁଁ ଆପଣଙ୍କୁ ପାଗଳ ହେବାକୁ ଆଦୌ କହୁନାହିଁ ବରଂ ଅଳ୍ପ ସମୟ ପାଇଁ ଆପଣ ବିନା କାରଣରେ ହସି ପାରିବେ ଏବଂ ଦୋଷ ଆପଣଙ୍କୁ ଘେରି ରହିଥିବା ବାୟୁ ବହନ କରିବ । କେବଳ ନିଶ୍ୱାସ ନିଅନ୍ତୁ ଏବଂ ଆପଣ ସତେଜ ଅନୁଭବ କରିବେ; ଆପଣ ହସିବାକୁ ଲାଗିବେ ଏବଂ ସମସ୍ତ ପ୍ରକାର ଆଘାତର କଷ୍ଟରୁ ମୁକ୍ତ ଅନୁଭବ କରିବେ । ଯଦି ଆପଣ ନିଶ୍ୱାସରେ ନେଉଥିବା ବାୟୁରେ ନାଇଟ୍ରସ୍ ଅକ୍ସାଇଡ୍ (Nitrous oxide) ଥାଏ ତେବେ ଏହି ସବୁ ଘଟିବ ।


ନାଇଟ୍ରସ୍ ଅକ୍ସାଇଡ୍ (N2O), ଯାହାକୁ ହାସ୍ୟୋଦ୍ଦୀପକ ଗ୍ୟାସ (laughing gas) ମଧ୍ୟ କୁହାଯାଏ, ଏକ ରାସାୟନିକ ଯୌଗିକ ଯାହା ସାଧାରଣ ତାପମାତ୍ରାରେ ରଙ୍ଗହୀନ ଏବଂ ଅଜ୍ୱଳନଶୀଳ ଗ୍ୟାସ୍ । ଏହାର ନିଶ୍ଚେତକ ପ୍ରଭାବ ହେତୁ ଏହା ଚିକିତ୍ସା କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ । ଉପଯୁକ୍ତ ଅବସ୍ଥାରେ ଉଚ୍ଚ ତାପମାତ୍ରାରେ ନାଇଟ୍ରସ୍ ଅକ୍ସାଇଡ୍ ବାୟୁମଣ୍ଡଳୀୟ ଅମ୍ଳଜାନ (oxygen (O2)) ଏବଂ ଯବକ୍ଷାରଜାନ (nitrogen (N2)) ରେ ବିଘଟନ ହୋଇପାରେ । ଏହି ଗୁଣ ଯୋଗୁଁ ଏହା ରକେଟରେ ମଧ୍ୟ ବ୍ୟବହୃତ ହୁଏ ।

ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ସରଳ ଅଣୁଗୁଡ଼ିକ ଦ୍ୱାରା ଗଠିତ ଏହି ଗ୍ୟାସ ଆମ ଭିତରେ ଏତେ ବଡ଼ ପରିବର୍ତ୍ତନ ଘଟାଏ। ଯେତେବେଳେ ଆମେ ନିଶ୍ୱାସ ନେଉଥାଉ, ଆମ ନିକଟରେ ଥିବା ବାୟୁ ନାକ ଭିତରକୁ ଯାଏ ଏବଂ ଶ୍ୱାସନଳୀ ମାଧ୍ୟମରେ ଫୁସ୍ଫୁସ୍ କୁ ଯାଇଥାଏ । ଫୁସ୍ଫୁସ୍ ରେ କୋଟରିକା (Alveoli) ଥାଏ ଯାହାକି ରକ୍ତଜାଲକ (Capillary) ଦ୍ୱାରା ଘେରି ରହିଥାଏ । ରକ୍ତଜାଲକ ମଧ୍ୟରେ ରକ୍ତରେ ଅମ୍ଳଜାନର ସାନ୍ଦ୍ରତା କମ ଏବଂ ଅଙ୍ଗାରକାମ୍ଳର ସାନ୍ଦ୍ରତା ଅଧିକ ଥାଏ । ଏ ଯୋଗୁଁ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳର ବିନିମୟ (exchange) ଘଟେ । ତା ପରେ ଏହି ରକ୍ତ ଶରୀରର ବିଭିନ୍ନ ସ୍ଥାନକୁ ଯାଇଥାଏ । ଯେତେବେଳେ ଆମେ ନାଇଟ୍ରସ୍ ଅକ୍ସାଇଡ୍ ନିଶ୍ୱାସରେ ନେଇଥାଉ, ରକ୍ତ ଏହାକୁ ମସ୍ତିଷ୍କ ସମେତ ଶରୀରର ବିଭିନ୍ନ ଅଂଶକୁ ସ୍ଥାନାନ୍ତର କରିଥାଏ । ମସ୍ତିଷ୍କରେ ଏହା ଶରୀରର ପ୍ରାକୃତିକ ଓପିଓଏଡ୍ (Opioids), ଏଣ୍ଡୋରଫିନ୍ (Endorphins) ଏବଂ ଡୋପାମାଇନ୍ (Dopamine) କ୍ଷରଣ କରିଥାଏ । ଏଗୁଡ଼ିକ ହେଉଛି ରାସାୟନିକ ପଦାର୍ଥ ଯାହା ଆମ ମସ୍ତିଷ୍କକୁ ଖୁସି ହେବାକୁ ନିର୍ଦ୍ଦେଶ ଦେଇଥାଏ। ଯେତେବେଳେ ଆମେ ଆମର ପ୍ରିୟ ଖାଦ୍ୟ ଖାଇଥାଉ, ଆମର ମସ୍ତିଷ୍କ ଏହିସବୁ ରାସାୟନିକ ପଦାର୍ଥ ଉତ୍ପାଦନ କରେ ଏବଂ ଆମେ ଖୁସି ଏବଂ ଆରାମଦାୟକ ଅନୁଭବ କରୁ । ଆମେ ଯେତେ ଖୁସି ଅନୁଭବ କରୁ ସେତେ ଅଧିକ କ୍ଷରଣ ଘଟେ ଏବଂ ଆମ ମସ୍ତିଷ୍କରେ ଏହି ରାସାୟନିକ ପଦାର୍ଥର ଅଧିକ କ୍ଷରଣ ଆମକୁ ଅଧିକ ଖୁସି କରେ । ତେଣୁ ଆମେ ହସିବା ଆରମ୍ଭ କରି ଦେଉ । ଯେତେବେଳେ ନାଇଟ୍ରସ୍ ଅକ୍ସାଇଡ୍ ଯୋଗାଣ ବନ୍ଦ ହୋଇଯାଏ, ମସ୍ତିଷ୍କରେ ରାସାୟନିକ ପଦାର୍ଥର କ୍ଷରଣ ବନ୍ଦ ହୋଇଯାଏ ଏବଂ ଆମର ହସିବାର କୌଣସି ପୂର୍ବ କାରଣ ନ ଥିବାରୁ ଆମେ ହସିବା ବନ୍ଦ କରିଦେଉ ।


ଏହାର ଅପାର ଉପଯୋଗିତାକୁ ବିଚାର କରି ଆପଣ ହୁଏତ ଏହି ଗ୍ୟାସକୁ ବହୁ ପରିମାଣରେ ଉତ୍ପାଦନ କରିବାକୁ ଚାହିଁବେ ଏବଂ ଲୋକମାନଙ୍କୁ ସର୍ବଦା ଖୁସି ରଖିବା ପାଇଁ ଏହାକୁ ସବୁ ସ୍ଥାନରେ ବିସ୍ତାରିତ କରିବାର ଇଚ୍ଛା ରଖିପାରନ୍ତି । କିନ୍ତୁ ଏହା ଅନ୍ୟ ସମସ୍ୟାଗୁଡ଼ିକୁ ଉତ୍ପନ୍ନ କରିବ । ନାଇଟ୍ରସ୍ ଅକ୍ସାଇଡ୍ ଏକ କୁଖ୍ୟାତ ସବୁଜ ଗୃହ ଗ୍ୟାସ୍ (Greenhouse gas) । ଏହାର ଅର୍ଥ ହେଉଛି ଏହି ଗ୍ୟାସର ଅତ୍ୟଧିକ ଉତ୍ପାଦନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅବରକ୍ତ ତରଙ୍ଗ/ଉତ୍ତାପର ଅବଶୋଷଣ ଏବଂ ଆଖପାଖରେ ସେହି ଅବଶୋଷିତ ତରଙ୍ଗର ନିର୍ଗମନ କରିଥାଏ। ଏହାଦ୍ୱାରା ପୃଥିବୀର ଉତ୍ତାପରେ ବୃଦ୍ଧି ଘଟେ । ଯେତେବେଳେ ନାଇଟ୍ରସ୍ ଅକ୍ସାଇଡ୍ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟର୍ (Stratosphere) ଆଡକୁ ଯାଏ, ଏହା ଓଜୋନ୍ ଗ୍ୟାସ୍ ସହିତ ପ୍ରତିକ୍ରିୟା କରେ ଏବଂ ଓଜୋନ୍ ର ପରିମାଣ ହ୍ରାସ କରେ । ଯେହେତୁ ସୂର୍ଯ୍ୟଙ୍କଠାରୁ କ୍ଷତିକାରକ ଅତିବାଇଗଣୀ ବିକିରଣକୁ ରୋକିବା ପାଇଁ ଓଜୋନ୍ ଗ୍ୟାସ୍ ଦାୟୀ, ତେଣୁ ଓଜୋନ୍ ର ହ୍ରାସ ଏହି କ୍ଷତିକାରକ ବିକିରଣ ଆମ ଉପରେ ପଡ଼ିବାକୁ ଦେଇଥାଏ ଏବଂ କର୍କଟ ଭଳି କ୍ଷତିକାରକ ରୋଗ ସୃଷ୍ଟି କରିଥାଏ । ଏହି ବୃହତ୍ ସମସ୍ୟା ବ୍ୟତୀତ ଏହା ବ୍ୟକ୍ତିଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏହି ଗ୍ୟାସରେ ଦୀର୍ଘ ସମୟ ଧରି ରହିବା ଦ୍ୱାରା ମସ୍ତିଷ୍କରେ ଅମ୍ଳଜାନ କମିଯାଏ । ଏହା ସ୍ନାୟୁକୋଷଗୁଡିକ (Neurons) ଉପରେ ମଧ୍ୟ ପ୍ରଭାବ ପକାଇପାରେ ଯାହାଫଳରେ ଆମେ ଶିଖିବାରେ ଅସୁବିଧାର ସମ୍ମୁଖୀନ ହୋଇପାରୁ । ଲୋକମାନେ ମଧ୍ୟ ସେମାନଙ୍କର ଗତିବିଧିକୁ ସଂଯୋଜନା ନ କରିପାରି ଏବଂ ତଳେ ପଡ଼ିଯାଇ ଆଘାତ ପାଇପାରନ୍ତି ।


ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି ଆମେ ଏହି ଜିନିଷର ଉଭୟ ସୁବିଧା ଏବଂ ଅସୁବିଧା ପ୍ରତି ଯତ୍ନବାନ ହେବା ଉଚିତ ଏବଂ ଡାକ୍ତରଙ୍କ ବିନା ଅନୁମତିରେ ଏହି ଗ୍ୟାସର ବ୍ୟବହାର କରିବା ଅନୁଚିତ ।

ବର୍ଣ୍ଣାଳୀ ଦାସ, IISER, Kolkata

 
 
 

Comments


bottom of page