top of page
Search

ଭିଟାମିନ୍ D ଏବଂ ସୂର୍ଯ୍ୟ (VITAMIN D AND SUN)

ଲକଡାଉନ ସାରା ଆପଣ ଶୁଣିଥିବେ "ଖରାରେ ବସେ ନହେଲେ ହାତ ଗୋଡ଼ ବିନ୍ଧିବ !","ସକାଳର ଖରାରେ ଭିଟାମିନ୍ D ମିଳେ !" ଇତ୍ୟାଦି | ଭିଟାମିନ୍ ତ ଆମକୁ ଫଳ ଓ ପାନିପରିବାରୁ ମିଳେ | ତେବେ ସୂର୍ଯ୍ୟ କିପରି ଭିଟାମିନ୍ ଦେଇପାରିବ? ଭିଟାମିନ୍ D ଟି କଣ ? ଆସନ୍ତୁ ଆଜି ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ଏହି ପ୍ରବନ୍ଧରେ | ଆସନ୍ତୁ ଜାଣିବା ଏହି ପ୍ରତି ଦିନିଆ ଉପଦେଶ ପଛରେ କୋଉ ବିଜ୍ଞାନ ରହିଛି |


ଭିଟାମିନ୍ D (ଯାହାକୁ କାଲ୍ସିଫେରୋଲ୍ (Calciferol) ମଧ୍ୟ କୁହାଯାଏ) ହେଉଛି ଏକ ସ୍ନେହସାର ଦ୍ରବଣୀୟ ଭିଟାମିନ୍ | ପ୍ରକୃତରେ ଏହା ଏକ ପ୍ରକାରର ହର୍ମୋନ୍ (Hormone) | ଭିଟାମିନ୍ D ମୁଖ୍ୟତଃ ଦୁଇ ପ୍ରକାରର ଥାଏ, D2 (ଏର୍ଗୋକାଲ୍ସିଫେରୋଲ୍ - Ergocalciferol) ଏବଂ D3 (କୋଲେକାଲ୍ସିଫେରୋଲ୍ - Cholecalciferol) | ଭିଟାମିନ୍ D ଦେହରେ କ୍ୟାଲସିଅମ୍ (calcium) ଅବଶୋଷଣରେ ସାହାଯ୍ୟ କରେ ଯାହା ଫଳରେ ଆମ ହାଡ଼ ସୁସ୍ଥ ରହେ | ଶରୀରରେ ଭିଟାମିନ୍ D ର ଅଭାବ ହାଡ଼ଗୁଡିକୁ ଭଙ୍ଗୁର ପ୍ରବୃତ୍ତି ର କରିଦେଇଥାଏ ଏବଂ ରିକେଟ୍ (Rickets) ଓ ଅଷ୍ଟିଓପୋରୋସିସ୍ (Osteoporosis) ପରି ଗମ୍ଭୀର ରୋଗ ହୋଇଥାଏ | ଏହା ଛଡ଼ା ଭିଟାମିନ୍ D ହୃତ୍ପିଣ୍ଡ ଜନିତ କାର୍ଯ୍ୟ, ମାଂସ, ଦେହର ପ୍ରତିରକ୍ଷା ପ୍ରଣାଳୀ, ସ୍ନାୟୁମଣ୍ଡଳ ଇତ୍ୟାଦିରେ ମଧ୍ୟ ସାହାଯ୍ୟ କରେ |


ଭିଟାମିନ୍ D ପ୍ରାକୃତିକ ଭାବେ କିଛି ଖାଦ୍ୟରେ ମିଳିଥାଏ ଏବଂ ଔଷଧ ଭାବେ ମଧ୍ୟ ବିକ୍ରି ହୁଏ | ମାତ୍ର ଏହାର ବଡ଼ ଉତ୍ସ ହେଉଛି ସୂର୍ଯ୍ୟ | ତେବେ ଏହା କିପରି ଜଣା ପଡ଼ିଲା ଯେ ସୂର୍ଯ୍ୟ ହିଁ ଭିଟାମିନ୍ D ର ଉତ୍ସ? 19 ଶତାବ୍ଦୀର ସମାପ୍ତି ଆଡକୁ ପ୍ରଦୂଷିତ ଓ ଅନ୍ଧକାରମୟ ଜାଗାରେ ରହୁଥିବା ପ୍ରାୟଃ ନବେ ପ୍ରତିଶତ ଛୁଆଙ୍କୁ ରିକେଟ୍ ରୋଗ ହୋଇଗଲା | ତାପରେ ଗବେଷଣାରୁ ସୂର୍ଯ୍ୟର ଏହି ଚମତ୍କାରୀ ଶକ୍ତି ବିଷୟରେ ଜଣା ପଡିଲା |

ତେବେ ସୂର୍ଯ୍ୟ କିପରି ଭିଟାମିନ୍ D ଦିଏ? ସୂର୍ଯ୍ୟ ବିଦ୍ୟୁତ ଚୁମ୍ବକୀୟ କିରଣ ଉତ୍ପନ୍ନ କରିଥାଏ | ମାତ୍ର ଏହାର କିଛି ଭାଗ ଆମ ପୃଥିବୀର ବାୟୁମଣ୍ଡଳ ଅବରୋଧ କରିଦେଇଥାଏ | ଏହି ବିଦ୍ୟୁତ ଚୁମ୍ବକୀୟ କିରଣର ଅତିବାଇଗଣୀ ତରଙ୍ଗ ମୁଖ୍ୟତଃ ତିନି ପ୍ରକାରର - UVA (Type A Ultraviolet), UVB (Type B Ultraviolet), UVC (Type C Ultraviolet) | ଯାହା ମଧ୍ୟରୁ UVB ତରଙ୍ଗ ଭିଟାମିନ୍ D ତିଆରି କରିବାରେ ସାହାଯ୍ୟ କରିଥାଏ | UVB ବିକିରଣର ତରଙ୍ଗଦୈର୍ଘ୍ୟ ପ୍ରାୟ 290–320 ନାନୋମିଟର | ଏହି ବିକିରଣ ଚର୍ମ ଉପରେ ପଡିଲେ, ଶରୀରରେ ପ୍ରଥମରୁ ପ୍ରାକୃତିକ ଭାବେ ଉତ୍ପନ୍ନ ହୋଇ ରହିଥିବା 7- ଡିହାଇଡ୍ରୋକୋଲେଷ୍ଟ୍ରୋଲ (7-dehydrocholesterol (7-DHC)) ଟି କୋଲେକାଲ୍ସିଫେରୋଲ୍ (Cholecalciferol) କୁ ପରିଣତ ହୋଇଯାଏ | କୋଲେକାଲ୍ସିଫେରୋଲ୍ (Cholecalciferol) ରକ୍ତରେ ପ୍ରବାହିତ ହୋଇ ଯକୃତ୍ ରେ ପହଞ୍ଚେ ଯେଉଁଠାରେ ତାହା 25- ହାଇଡ୍ରୋକ୍ସିଭିଟାମିନ୍ D (25-hydroxyvitamin D) କିମ୍ବା 25(OH)D କୁ ପରିଣତ ହୋଇଯାଏ | ତତ୍ପରେ ବୃକ୍‌କ ଏହାକୁ 1,25- ଡାଇହାଇଡ୍ରୋକ୍ସିଭିଟାମିନ୍ D (1,25-dihydroxyvitamin D) କିମ୍ବା 25(OH)2D ରେ ପରିଣତ କରେ | ଏହି 25(OH)2D ହେଉଛି ଭିଟାମିନ୍ D ର ସ୍ୱରୂପ ଯାହା ଶରୀର ଦ୍ୱାରା ପ୍ରୟୋଗ ହୋଇପାରିବ |


ଋତୁ, ଦିନର ସମୟ, ଦିନର ଲମ୍ବ, ମେଘ, କୁହୁଡି, ଚର୍ମରେ ମେଲାନିନର ମାତ୍ର, ଇତ୍ୟାଦି UV ବିକିରଣର ଉପଲବ୍ଧି ଏବଂ ଭିଟାମିନ୍ D ସଂଶ୍ଳେଷଣ ଉପରେ ପ୍ରଭାବ ପକାଇଥାଏ | ବୟସ୍କ ବ୍ୟକ୍ତି ଏବଂ କୃଷ୍ଣ ରଙ୍ଗର ବ୍ୟକ୍ତି (ଅର୍ଥାତ ଯାହା ଚର୍ମରେ ବେଶୀ ମେଲାନିନ ଥାଏ) ସୂର୍ଯ୍ୟକିରଣରୁ ଭିଟାମିନ୍ D ଉତ୍ପାଦନ କରିବାରେ କମ ସକ୍ଷମ | UVB ବିକିରଣ କାଚରେ ପ୍ରବେଶ କରେ ନାହିଁ, ତେଣୁ କାଚ ଥିବା ମାଧ୍ୟମରେ ଘର ଭିତରେ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଭିଟାମିନ୍ D ଉତ୍ପନ୍ନ ହୁଏ ନାହିଁ | ମେଦବହୁଳତା ଭିଟାମିନ୍ D ସଂଶ୍ଳେଷଣ କରିବା ପାଇଁ ଚର୍ମର କ୍ଷମତାକୁ ପ୍ରଭାବିତ କରେ ନାହିଁ | ମାତ୍ର ଅଧିକ ପରିମାଣର ଚର୍ମ ତଳେ ଫ୍ୟାଟ୍ ଜମା ହେଲେ ତାହା ଭିଟାମିନ୍ D ଉତ୍ପାଦନରେ ପ୍ରଭାବ ପକେଇଥାଏ |


ଭିଟାମିନ୍ D ଏବେ ମଧ୍ୟ ଚଳନ୍ତି ଗବେଷଣାର ବିଷୟବସ୍ତୁ ଅଟେ କାରଣ ଏବେ ମଧ୍ୟ ଆମେ ଜାଣି ନାହୁଁ ଯେ ଆମ ଶରୀରକୁ କେତେ ମାତ୍ରାରେ ଭିଟାମିନ୍ D ଆବଶ୍ୟକ | କିଛି ବୈଜ୍ଞାନିକ 10 ମିନିଟ କହିଥାନ୍ତି ତ କିଏ 30 ମିନଟ | ପ୍ରାୟ UVB ବିକିରଣ ସକାଳ 10 ରୁ ସନ୍ଧ୍ୟା 4 ଟା ଭିତରେ ପୃଥିବୀକୁ ଆଗମନ କରିଥାଏ | ମାତ୍ର ଏହି ବିକିରଣର ଅତ୍ୟଧିକ ମାତ୍ରା କର୍କଟ ରୋଗର କାରଣ ହୋଇ ପାରେ | ତେବେ କେତେ ସମୟ ପାଇଁ ଖରାରେ ବସିବା ଠିକ ଓ କେତେ ସମୟ ନୁହେଁ ତାହା ଏବେ ମଧ୍ୟ ଜାଣିବା କଷ୍ଟକର ମାତ୍ର ଅସମ୍ଭବ ନୁହେଁ | ତେଣୁ ଆଗ୍ରହୀ ରୁହନ୍ତୁ ଓ ଶିଖି ଚାଲନ୍ତୁ |


ବର୍ଣ୍ଣାଳୀ ଦାସ, IISER, Kolkata

26 views0 comments

Kommentare


bottom of page