top of page
Search

ସମୁଦ୍ରର ବିଚିତ୍ର ଜୀବ (WEIRD CREATURES OF THE SEA)

ବ୍ୟାରେଲଆଇ ମାଛ

ଭିଡିଓରେ ଆଖି ପରି ଦେଖାଯାଉଥିବା ଅଙ୍ଗ ହେଉଛି ବାସ୍ତବରେ ମାଛର ନାକ; ସେମାନଙ୍କର ଆଖି ମୁଣ୍ଡ ଭିତରେ ଅବସ୍ଥିତ । ବ୍ୟାରେଲଆଇ ମାଛର ନାମକରଣ, ଏହାର ପାରଦର୍ଶୀ ମୁଣ୍ଡ ଭିତରେ ରଖାଯାଇଥିବା ବ୍ୟାରେଲ୍ (Barrel) ଆକୃତିର ଆଖି ଯୋଗୁଁ କରାଯାଇଛି |

ଏହି ମାଛ 400 ରୁ 2500 ମିଟର ଗଭୀରତାରେ ମିଳିଥାଏ ଯେଉଁଠାରେ ସୂର୍ଯ୍ୟ କିରଣ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇନଥାଏ | କିନ୍ତୁ ଏହାର ଶିକାର (ଖାଦ୍ୟ) ଏହାଠାରୁ ବହୁତ କମ ଗଭୀରତାରେ ମିଳିଥାଏ ଯେଉଁଠାରେ ସୂର୍ଯ୍ୟକିରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ ହୋଇଥାଏ | ତେଣୁ, ଉପଲବ୍ଧ ଶିକାର ଚିହ୍ନଟ କରିବାକୁ ସେମାନେ ଆଖିକୁ ଉପରକୁ କରନ୍ତି | ଏବଂ ଯେତେବେଳେ ଶିକାର ଚିହ୍ନଟ ହୁଏ, ସେମାନେ ନିଜ ଶରୀରକୁ ଶିକାର ଆଡକୁ ମୋଡ଼ିଦିଅନ୍ତି ।


ଆଟଲାଣ୍ଟିକ୍, ପ୍ରଶାନ୍ତ ଏବଂ ଭାରତ ମହାସାଗରରେ ମିଳୁଥିବା ଏହି ମାଛ ଏହାର ଖାଦ୍ୟ, ସିଫୋନୋଫୋର (Siphonophore) ଠାରୁ ଚୋରୀ କରିଥାଏ ବୋଲି ବିଶ୍ୱାସ କରାଯାଏ | ସିଫୋନୋଫୋର ଜେଲି ସଦୃଶ ଜାଲ ବିଛାଇ ତାହା ମଧ୍ୟରେ ପହଁରୁଥିବା ଶିକାରକୁ ଧରିଥାଏ | ବ୍ୟାରେଲଆଇ ମାଛର ଆଖି ଉପରେ ଥିବା ପାରଦର୍ଶୀ ଆଢୁଆଳ ତାକୁ ସିଫୋନୋଫୋରର ମାରାତ୍ମକ କୋଷରୁ ରକ୍ଷା କରିଥାଏ |


ପଥର ମାଛ

ଚିତ୍ରରେ ଆପଣ କ’ଣ ଦେଖୁଛନ୍ତି ? ଏଗୁଡ଼ିକ ହେଉଛି ସମୁଦ୍ରର ପଥର | କିନ୍ତୁ ଅପେକ୍ଷା କରନ୍ତୁ | ଏଥିରେ ଏକ ମାଛ ଅଛି, ଯାହା ଆଜି ଯାଏଁ ଜଣା ଥିବା ସର୍ବାଧିକ ବିଷାକ୍ତ ମାଛ | ଏହି ମାଛମାନେ ସେମାନଙ୍କର ପଥୁରିଆ ବାସସ୍ଥଳୀରେ ନିଜକୁ ଏହିପରି ମିଶାଇ ଦିଅନ୍ତି ଯେ ଚିନ୍ହିବା କାଠିକର ପାଠ ହୋଇଯାଏ | ସେମାନେ ନିଜ ବାସସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସି ଶିକାରକୁ ଅପେକ୍ଷା କରନ୍ତି | ଯେତେବେଳେ ଛୋଟ ମାଛ କିମ୍ବା ମେରୁଦଣ୍ଡୀ ପ୍ରାଣୀ ସେମାନଙ୍କ ନିକଟକୁ ଆସନ୍ତି, ତତ୍କ୍ଷଣାତ ସେମାନେ ପଥର ମାଛର ଭୋଜନ ହୋଇଯାଆନ୍ତି |


ଏହି ମାଛର ବିଷ ଶିକାର କରିବା ପାଇଁ ବ୍ୟବହୃତ ହୁଏ ନାହିଁ | ବରଂ ଆତ୍ମରକ୍ଷା ପାଇଁ ବ୍ୟବହୃତ ହୁଏ | ପଥର ମାଛର ମେରୁଦଣ୍ଡରେ ଚାପ ପ୍ରୟୋଗ ହେଲେ ବିଷ ନିର୍ଗତ ହୁଏ | ଏମାନେ ପ୍ରାୟତଃ ଅଷ୍ଟ୍ରେଲିଆ ଉପକୂଳରେ ଥିବା ଗଭୀର ସମୁଦ୍ରରେ ଦେଖାଯାଆନ୍ତି |





ପାକୁ ମାଛ

ମଣିଷ ଦାନ୍ତ ଭଳି ଦାନ୍ତ ଥିବା ମାଛ !! ହଁ ଆପଣ ଠିକ୍ ପଢ଼ିଛନ୍ତି | ପାକୁ ମାଛ ମୁଖ୍ୟତଃ ଉଦ୍ଭିଦ, ଫଳ, କୋଳି ଏବଂ ବେଳେବେଳେ ଛୋଟ ମାଛ ଖାଏ | ଏହି ପ୍ରକାରର ଖାଦ୍ୟ ଖାଇବା ପାଇଁ ପ୍ରକୃତି ସେମାନଙ୍କ ଦାନ୍ତ ଏପରି କରିଛି | ସେମାନେ ଥଣ୍ଡା ପାଣିରେ ବଞ୍ଚି ପାରନ୍ତି ନାହିଁ |





ଆଙ୍ଗଲର୍ ମାଛ

ଆମେ ପୁରୁଷ ମହିଳା ସମାନ ଅଧିକାର ପାଇଁ ଲଢ଼ୁଛୁ | ତେବେ ଏହି ମାଛ ମାନଙ୍କର ବଂଶରେ ପୁରୁଷ ମହିଳା ତାରତମ୍ୟ ବଡ଼ ବିସ୍ମୟକର | ପୁରୁଷଙ୍କ ତୁଳନାରେ ମହିଳା ବହୁତ ବଡ | ଯେତେବେଳେ ବି ପୁରୁଷ ଏକ ନାରୀ ପାଇଥାଏ, ସେ ଦାନ୍ତ ବ୍ୟବହାର କରି ନାରୀର ଶରୀରରେ ଲାଖିଯାଏ | ଧୀରେ ଧୀରେ ସେ ମହିଳା ଶରୀରର ଏକ ଅଂଶ ହୋଇଯାଏ ଏବଂ ନିଜର ଆଖି ହରାଇଦିଏ | ପୁରୁଷ ଖାଦ୍ୟ ପାଇଁ ମହିଳାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ | ସେ ମହିଳା ଶରୀରରେ କ୍ରମେ ପରଜୀବୀ ହୋଇଯାଏ | ଏମାନେ ଗଭୀର ସମୁଦ୍ରରେ ମିଳିଥାନ୍ତି ଯେଉଁଠାରେ ସୂର୍ଯ୍ୟକିରଣ କମ୍ ଥାଏ, ନାରୀ ତାର ଶିକାରକୁ ଆକର୍ଷିତ କରିବା ପାଇଁ ଏକ ଉଜ୍ଜ୍ୱଳ ପ୍ରଲୋଭନ ବ୍ୟବହାର କରେ | ଏହି ଉଜ୍ଜ୍ୱଳ ପ୍ରଲୋଭନ ଏହାର ପାଟି ଉପରେ ଶିଙ୍ଗ ପରି ଅବସ୍ଥିତ | ଏହି କାରଣରୁ ଏହାକୁ ଆଙ୍ଗଲର୍ ମାଛ କୁହାଯାଏ | ଏମାନେ ସାଧାରଣତଃ ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକ୍ ମହାସାଗରରେ ମିଳିଥାନ୍ତି |


ସମୁଦ୍ର ଘୋଡା/ ସମୁଦ୍ର ଘୋଟକ

ନାମରୁ ହିଁ ଏମାନଙ୍କ ଆକାର ବୁଝି ହୁଏ | ଏମାନେ ଘୋଡା ପରି ଦେଖାଯାଆନ୍ତି ଏବଂ ସମୁଦ୍ର ଏବଂ ମହାସାଗରରେ ଦେଖାଯାଆନ୍ତି | ନାରୀ ପରିବର୍ତେ ପୁରୁଷ ସମୁଦ୍ର ଘୋଡା ସନ୍ତାନମାନଙ୍କୁ ଜନ୍ମ ଦେଇଥାଏ | ଏହା ବିଚିତ୍ର ନୁହେଁ କି? ସେମାନଙ୍କ ପାଟିର ଆକୃତି ହେତୁ, ସେମାନେ ପାଣିରେ ବହୁତ କମ୍ ତରଙ୍ଗ ଉତ୍ପାଦନ କରନ୍ତି ଏଣୁ ସେମାନେ ସନ୍ତର୍ପଣରେ ଶିକାରର ଅତି ନିକଟତର ହୋଇପାରନ୍ତି | ଶତକଡା ନବେ ଭାଗ ସେମାନଙ୍କ ଶିକାର ଅବ୍ୟର୍ଥ ହୋଇଥାଏ |






ଗଭୀର ସମୁଦ୍ରରେ ମିଳୁଥିବା ଆକର୍ଷଣୀୟ ଜୀବମାନଙ୍କ ମଧ୍ୟରୁ ଏମାନେ ଅଳ୍ପ କିଛି | ଏବେବି ବହୁତ କିଛି ଅଜଣା | ପୃଥିବୀର ତିନି ଚତୁର୍ଥାଂଶ ଭାଗ ଜଳ ଅଟେ | ସମୁଦ୍ର ଏବେବି ଆମ ପାଇଁ ସବୁଠାରୁ ରହସ୍ୟମୟ ସ୍ଥାନ ଅଟେ |


ବର୍ଣ୍ଣାଳୀ ଦାସ, IISER, Kolkata

28 views0 comments

Commentaires


bottom of page