top of page
Search

ଶୟନ ସମୟରେ ମସ୍ତିଷ୍କର ଗତିବିଧି (ACTIVITIES OF BRAIN DURING SLEEP)


ଆପଣ କେବେ ନିଦରୁ ଉଠି ବହୁତ କ୍ଲାନ୍ତ ଅନୁଭବ କରିଛନ୍ତି କି ? ଆପଣ ଜାଣନ୍ତି କି ଆମେ ନିଦରେ ବାଓଳେଇଲା ବେଳେ ସ୍ୱପ୍ନରେ କଣ ଦେଖିଥାଉ ? ତାହା କାହିଁକି ମନେ ରୁହେନାହିଁ ? ଆଜି ଆସନ୍ତୁ ଶୋଇବା ସମୟରେ ଆମର ମସ୍ତିଷ୍କ କରୁଥିବା ରହସ୍ୟମୟ କାର୍ଯ୍ୟକୁ ଅନୁସନ୍ଧାନ କରିବା |


A part of EEG

ଏହାପୂର୍ବରୁ ଆମ ମସ୍ତିଷ୍କ ଭିତରେ ଦେଖିବା ପାଇଁ ଏକ ଉପକରଣ ଦରକାର | ଆସନ୍ତୁ EEG (ଇଲେକ୍ଟ୍ରୋଏନ୍ସଫାଲୋଗ୍ରାମ୍ - electroencephalogram) ର ସାହାଯ୍ୟ ନେବା | ଏହା ଏକ ଯନ୍ତ୍ର ଯାହା ମସ୍ତିଷ୍କର ତରଙ୍ଗ ମାପ କରି ମସ୍ତିଷ୍କର କାର୍ଯ୍ୟକଳାପ ଉପରେ ନଜର ରଖିବାରେ ସାହାଯ୍ୟ କରିଥାଏ | ତେବେ ମସ୍ତିଷ୍କ ତରଙ୍ଗ କ’ଣ?



ଆମର ଦିନିକିଆ କାର୍ଯ୍ୟକଳାପ ଆମ ମସ୍ତିଷ୍କ ଦ୍ୱାରା ପରିଚାଳିତ | ଆମ ମସ୍ତିଷ୍କରେ ଥିବା ସ୍ନାୟୁକୋଷଗୁଡିକ ହେତୁ ଏହା ସମ୍ଭବ | ଏହି ସ୍ନାୟୁ କୋଷ କ୍ରମାଗତ ଭାବରେ ପରସ୍ପର ସହିତ ବୈଦୁତିକ ସଙ୍କେତ ବ୍ୟବହାର କରି ଯୋଗାଯୋଗ କରନ୍ତି | ଏହି ବୈଦୁତିକ ସଙ୍କେତଗୁଡିକ (ଏହାକୁ ମସ୍ତିଷ୍କ ତରଙ୍ଗ ମଧ୍ୟ କୁହାଯାଏ) ବିଭିନ୍ନ ଆବୃତ୍ତିର | ସେହି ଅନୁଯାୟୀ, ବିଭିନ୍ନ ଆବୃତ୍ତି ପରିସର ପାଇଁ ସେମାନଙ୍କୁ ଡେଲ୍ଟା (1-3 Hz), ଥିଟା (4-7 Hz), ଆଲ୍ଫା (8-12 Hz), ବିଟା (13 - 38 Hz) ଏବଂ ଗାମା (39 - 42 Hz) ନାମିତ କରାଯାଇଛି | EEG ତରଙ୍ଗ / ବର୍ଜର (Berger) ତରଙ୍ଗ ନାମକ ଏହି ଭିନ୍ନ ଭିନ୍ନ ବ୍ୟାଣ୍ଡ ଆମର ଦୈନନ୍ଦିନ କାର୍ଯ୍ୟକଳାପର ବିଭିନ୍ନ ପର୍ଯ୍ୟାୟରେ ଦେଖାଯାଏ | ସେମାନଙ୍କ ଉପସ୍ଥିତି ବ୍ୟକ୍ତିରୁ ବ୍ୟକ୍ତିକୁ ଭିନ୍ନ ହୋଇଥାଏ | ଉଦାହରଣ ସ୍ୱରୂପ, ଶିକ୍ଷଣ ଅକ୍ଷମ ବ୍ୟକ୍ତିଙ୍କର ଅତ୍ୟଧିକ ଥିଟା ଏବଂ ବେଳେବେଳେ ଆଲ୍ଫା ତରଙ୍ଗ ଉତ୍ପନ୍ନ ହୁଏ |


ଯେତେବେଳେ ଆମେ ଗଭୀର ନିଦ୍ରାରେ ଥାଉ, ମସ୍ତିଷ୍କ ଡେଲ୍ଟା ତରଙ୍ଗ ସୃଷ୍ଟି କରେ | ଆମେ ଦିନରେ ସ୍ୱପ୍ନ ଦେଖିବା ଆରମ୍ଭ କଲେ କିମ୍ବା ଶୋଇବା ପୂର୍ବରୁ ଥିଟା ତରଙ୍ଗ ସୃଷ୍ଟି ହୁଏ | ଯେତେବେଳେ ଆମେ ପାନିଆରେ ମୁଣ୍ଡ କୁଣ୍ଡେଇବା ଭଳି ଦୈନନ୍ଦିନ କାର୍ଯ୍ୟ କରିଥାଉ, ସେତେବେଳେ ମଧ୍ୟ ଏହି ତରଙ୍ଗ ଉତ୍ପନ୍ନ ହୁଏ | ଧ୍ୟାନ କରିବା ସମୟରେ କିମ୍ବା ଏକ କାର୍ଯ୍ୟ ସମାପ୍ତ କରିବା ପରେ ଆଲ୍ଫା ତରଙ୍ଗ ଉତ୍ପନ୍ନ ହୁଏ | ସେଗୁଡିକ ଆରାମ କରିବା ଅବସ୍ଥାରେ ଉତ୍ପନ୍ନ ହୁଏ ଏବଂ ଏହା ଆମ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ସାହାଯ୍ୟ କରେ | ଅଧ୍ୟୟନ କରିବା କିମ୍ବା ବକ୍ତୃତା ଦେବା ପରି କାର୍ଯ୍ୟରେ, ମସ୍ତିଷ୍କ ସକ୍ରିୟ ଭାବରେ ଅଂଶଗ୍ରହଣ କଲେ ବିଟା ତରଙ୍ଗ ସୃଷ୍ଟି ହୁଏ | ଯେତେବେଳେ ଆମେ ଏକ ସମସ୍ୟାକୁ ଅତ୍ୟଧିକ ଧ୍ୟାନ ଦେଇ ସମାଧାନ କରିବାର ଚେଷ୍ଟା କରିଥାଉ ସେତେବେଳେ ଗାମା ତରଙ୍ଗ ଉତ୍ପନ୍ନ ହୁଏ |


ବର୍ତ୍ତମାନ ଆପଣ ଜାଣିବାକୁ ପ୍ରଲୋଭିତ ହୋଇପାରନ୍ତି ଯେ ଆମେ ପରୀକ୍ଷାରେ ସଫଳ ହେବା ପାଇଁ ଆମ ମସ୍ତିଷ୍କରେ ଏପରି ତରଙ୍ଗ ସୃଷ୍ଟି କରିପାରିବା କି ନାହିଁ | ମୁଁ ଆପଣମାନଙ୍କୁ ନିରାଶ କରିବି ନାହିଁ କାରଣ ଏହି କ୍ଷେତ୍ରରେ ଗବେଷଣା ଚାଲିଛି ଏବଂ ଆମେ ଶୀଘ୍ର ଏହି କ୍ଷେତ୍ରରେ ସଫଳତା ଦେଖିବା |


ଏବେ ଚାଲନ୍ତୁ ଆମେ ଶୋଇବା ଚକ୍ର ଉପରେ ଧ୍ୟାନ ଦେବା | ଆସନ୍ତୁ ପ୍ରଥମେ ଜାଣିବା ଯେ ଶୋଇବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ ଏବଂ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ମସ୍ତିଷ୍କ ତରଙ୍ଗ ଉତ୍ପନ୍ନ ହୁଏ | ଗୋଟିଏ ଶୋଇବା ଚକ୍ର ପ୍ରାୟ 90 ମିନିଟ୍ ପର୍ଯ୍ୟନ୍ତ ଚାଲିଥାଏ | ଏହାର ଅର୍ଥ ଯେତେବେଳେ ଆମେ ରାତିରେ ଶୋଇଥାଉ ଆମେ ପ୍ରାୟ 4 ଥର ଶୋଇବା ଚକ୍ର ସଂପୂର୍ଣ୍ଣ କରିଥାଉ |

ଶୋଇବା ଚକ୍ରର ପର୍ଯ୍ୟାୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ - NREM (Non Rapid Eye Movement) ଏବଂ REM (Rapid Eye Movement) ଶୋଇବା ପର୍ଯ୍ୟାୟ | NREM, ପର୍ଯ୍ୟାୟ 1, 2 ଏବଂ 3 ରେ ବିଭକ୍ତ |


ଯେତେବେଳେ ଆମେ ଶୋଇବାକୁ ଯାଉ, EEG ବିଟା ତରଙ୍ଗକୁ ରେକର୍ଡ କରେ | ଯେତେବେଳେ ଆମେ ଆଖି ବନ୍ଦ କରିଥାଉ EEG ଆଲ୍ଫା ତରଙ୍ଗକୁ ରେକର୍ଡ କରେ | ତା’ପରେ ଆମେ ପ୍ରଥମ ପର୍ଯ୍ୟାୟ (N1) ରେ ପ୍ରବେଶ କରୁ ଯାହା ଜାଗ୍ରତତା ଏବଂ ଶୋଇବା ମଧ୍ୟରେ ଏକ ପରିବର୍ତ୍ତନ | ଏହି ପର୍ଯ୍ୟାୟରେ ମସ୍ତିଷ୍କ ଥିଟା ତରଙ୍ଗ ଉତ୍ପାଦନ ଆରମ୍ଭ କରେ | ଆମେ ବେଳେବେଳେ ଅବାସ୍ତବ ବସ୍ତୁ ଦର୍ଶନ ବା ଶ୍ରବଣ ଭ୍ରାନ୍ତି କରୁ | ଉଦାହରଣ ସ୍ୱରୂପ ଯଦି ଆମେ ଦୀର୍ଘ ସମୟ ଶୋଇବା ପୂର୍ବରୁ ଏକ ଖେଳ ଖେଳୁଛୁ ତେବେ ପ୍ରଥମ ପର୍ଯ୍ୟାୟରେ ଆମେ ଅନୁଭବ କରିବା ଯେ ଆମେ ଖେଳୁଛୁ, ମାତ୍ର ତାହା ବାସ୍ତବରେ ଘଟି ନଥାଏ |


ଯଦି ଜଣେ ବ୍ୟକ୍ତି ଦ୍ୱିତୀୟ ପର୍ଯ୍ୟାୟ (N2) ରେ ଅଛି ତେବେ ପ୍ରଥମ ପର୍ଯ୍ୟାୟ ତୁଳନାରେ ବ୍ୟକ୍ତିଙ୍କୁ ଜାଗ୍ରତ କରିବା କଷ୍ଟକର | EEG ବ୍ୟବହାର କରି ଆମେ ଦେଖିପାରିବ ଯେ ବ୍ୟକ୍ତି ଜଣକ ଥିଟା ତରଙ୍ଗ ସହିତ ସ୍ଲିପ ସ୍ପିଣ୍ଡଲ୍ (sleep spindles) ଏବଂ କେ-କମ୍ପ୍ଲେକ୍ସ (K-complexes) ନାମକ ଅନ୍ୟ ପ୍ରକାରର ତରଙ୍ଗ ଉତ୍ପାଦନ କରେ | କୋଳାହଳ ସମୟରେ ମଧ୍ୟ ଏମାନେ ଆମକୁ ଶୋଇବାରେ ସାହାଯ୍ୟ କରନ୍ତି |


ପର୍ଯ୍ୟାୟ 3 (N3) ରେ ଡେଲ୍ଟା ତରଙ୍ଗ ଉତ୍ପନ୍ନ ହୁଏ | ଏହି ପର୍ଯ୍ୟାୟକୁ ଗଭୀର ନିଦର ପର୍ଯ୍ୟାୟ ମଧ୍ୟ କୁହାଯାଏ କାରଣ ଆମର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନଥାଏ | ଏହା ହେଉଛି ସେହି ପର୍ଯ୍ୟାୟ ଯେଉଁଠାରେ ଆମେ ନିଦରେ ବାଓଳେଇବା ବା ନିଦରେ ଚାଲିବା ପରି କାର୍ଯ୍ୟ କରିଥାଉ |


REM ପର୍ଯ୍ୟାୟରେ ଆମ ଆଖି ଅତି ଦ୍ରୁତ ଗତିରେ ବିଭିନ୍ନ ଦିଗରେ ଗତି କରିବାକୁ ଲାଗେ (ଏଥିପାଇଁ ଏହାର ନାମକରଣ REM କରାଯାଇଛି), ଶ୍ୱାସକ୍ରିୟା ଅନିୟମିତ ହୋଇଯାଏ ଏବଂ ଆମେ ପ୍ରାୟ ନିଷ୍କ୍ରିୟ ହୋଇଯାଉ | ଅଧିକାଂଶ ସ୍ୱପ୍ନ ଏହି ପର୍ଯ୍ୟାୟରେ ଘଟେ ଏବଂ ପଞ୍ଜିକୃତ ହୁଏ | ଯଦିଓ ଆମେ ଆମର ଅଧିକାଂଶ ସ୍ୱପ୍ନକୁ ଭୁଲିଯାଉ କିନ୍ତୁ ଯଦି ଜଣେ ବ୍ୟକ୍ତି ଏହି ପର୍ଯ୍ୟାୟରେ ଜାଗ୍ରତ ହୁଅନ୍ତି, ତେବେ ସେ ଯାହା ସ୍ୱପ୍ନ ଦେଖିଥିବେ ତାହା ମନେ ରଖିବା ସମ୍ଭାବନା ଅଧିକ | ଏହା ଦେଖିବା କୌତୁହଳପ୍ରଦ ଯେ ମସ୍ତିଷ୍କ ଏହି ସମୟରେ ବିଟା ତରଙ୍ଗ ସୃଷ୍ଟି କରେ |


ଶୋଇବା ସମୟରେ ଆମେ N1 → N2 → N3 → N2 → REM → N1 କ୍ରମକୁ ଅନୁସରଣ କରୁ ଏବଂ ଚକ୍ରର ପୁନରାବୃତ୍ତି ହୁଏ | ପ୍ରତ୍ୟେକ ପର୍ଯ୍ୟାୟର ଅବଧି ଆମ ବୟସ, ଆମର ଶୋଇବାର ଅବଧି ଇତ୍ୟାଦି ଉପରେ ନିର୍ଭର କରେ | N3 କିମ୍ବା REM ସମୟରେ ଜାଗ୍ରତ ହେଲେ ଆମକୁ ନିଷ୍କାସିତ ଏବଂ ଥକ୍କା ଅନୁଭବ ହୁଏ | ତେଣୁ ଜାଗ୍ରତ ହେବାର ସର୍ବୋତ୍ତମ ପର୍ଯ୍ୟାୟ ହେଉଛି N1 |


ଶୋଇବା ପାଇଁ ଆମ ସମସ୍ତଙ୍କର ଭିନ୍ନ ଅବଧି ଅଛି | ବୟସ୍କମାନେ ସାଧାରଣତଃ 7 ରୁ 9 ଘଣ୍ଟା ଶୋଇବା ଆବଶ୍ୟକ କରନ୍ତି ଏବଂ ଶିଶୁମାନେ ଅଧିକ ସମୟ ପାଇଁ ଶୋଇବା ଆବଶ୍ୟକ କରନ୍ତି | ତେଣୁ ଶୋଇବାର ସର୍ବୋତ୍ତମ ଅବଧି ହେଉଛି ଯାହା ପରେ ଆମେ ସତେଜ ଅନୁଭବ କରିବା | ତେଣୁ ଆବଶ୍ୟକ ସମୟ ସହିତ ପରୀକ୍ଷଣ କରି ନିଜ ଶୋଇବାର ସର୍ବୋତ୍ତମ ଅବଧି ସନ୍ଧାନ କରନ୍ତୁ | ଆଗ୍ରହୀ ରୁହନ୍ତୁ ଏବଂ ଅନୁସନ୍ଧାନ ଜାରି ରଖନ୍ତୁ |


ବର୍ଣ୍ଣାଳୀ ଦାସ, IISER, Kolkata

17 views0 comments

Comments


bottom of page