top of page
Search

ପ୍ରାଣଘାତକ - କାର୍ବନ ମୋନୋଅକ୍ସାଇଡ (DEADLY - CARBON MONOXIDE)


ପ୍ରତିବର୍ଷ ଟି.ଭି., ମୋବାଇଲ, ଖବର କାଗଜରୁ ଆପଣ ମାନେ ଶୁଣିଥିବେ ଯେ ବହୁତ ଲୋକଙ୍କର ମୃତ୍ୟୁର କାରଣ ହେଉଛି କାର୍ବନ ମୋନୋଅକ୍ସାଇଡ ଗ୍ୟାସ | ଆସନ୍ତୁ ଜାଣିବା କାର୍ବନ ମୋନୋଅକ୍ସାଇଡ କିପରି ମୃତ୍ୟୁର କାରଣ ହୋଇଥାଏ |


ସବୁ ପଶୁ ଓ ମନୁଷ୍ୟମାନଙ୍କ ପ୍ରତି କାର୍ବନ ମୋନୋଅକ୍ସାଇଡ ଠାରୁ ବିପଦ ଅଛି | କାର୍ବନ ମୋନୋଅକ୍ସାଇଡ ରାସାୟନିକ ସଂକେତ ହେଲା 'CO' | ଏହା ରଙ୍ଗହୀନ, ସ୍ଵାଦହୀନ, ଗନ୍ଧହୀନ, ଅତ୍ୟଧିକ ବିଷାକ୍ତ ଏବଂ ବାୟୁ ଠାରୁ ଭାରି ହୋଇଥାଏ | ଏହାକୁ “senseless killer” କୁହାଯାଏ | କାରଣ ଆମ ପାଞ୍ଚ ଇଂଦ୍ରିୟ ମଧ୍ୟରୁ କେହି ଏହି ଗ୍ୟାସକୁ ଚିହ୍ନିପାରନ୍ତି ନାହିଁ | ତେଣୁ ଘରେ କିମ୍ବା ଗାଡ଼ିମାନଙ୍କରେ କାର୍ବନ ମୋନୋଅକ୍ସାଇଡ ଗ୍ୟାସରେ ଉପସ୍ଥିତି ଜାଣିବା ପାଇଁ CO ସୂଚକ (CO indicator) ବ୍ୟବହାର କରିବା ଉଚିତ |

ଏହି ଗ୍ୟାସ କୋଇଲା ଖଣି, ଜେନେରେଟର (generator), କୋଇଲା ଚୁଲ୍ହା, ମହମବତୀ ଜଳାଇଲେ, ଯାନବାହାନ, ଇଞ୍ଜିନ, ଲଣ୍ଠନ ଜଳାଇଲେ, ଗ୍ୟାସ ହିଟର, ତାପଜ ପ୍ରଣାଳୀରେ ବାହାରୁଥିବା ଧୁଆଁରୁ ମିଳେ | ଗ୍ୟାସ, ପେଟ୍ରୋଲ, ଡିଜେଲ, କୋଇଲା କିମ୍ବା କାଠ ଏହିପରି ଇଂଧନର ଅସମ୍ପୂର୍ଣ୍ଣ ଦହନରୁ ସୃଷ୍ଟି ହୁଏ | ଅମ୍ଳଜାନ (O2) କୌଣସି ବସ୍ତୁକୁ ଜଳାଇବାରେ ସହାୟକ ହୋଇଥାଏ. ଇନ୍ଧନରେ କାର୍ବନ (C) ଥାଏ, ଯାହାକୁ ଜାଳିଲେ ଅଙ୍ଗାରକାମ୍ଳ (CO2) ସୃଷ୍ଟି ହୋଇଥାଏ | ମାତ୍ର ଅମ୍ଳଜାନର ଅଭାବ ଯୋଗୁଁ ଅଙ୍ଗାରକାମ୍ଳ ବଦଳରେ କାର୍ବନ ମୋନୋଅକ୍ସାଇଡ(CO) ଉତ୍ପନ୍ନ ହୋଇଥାଏ |


CO ଗ୍ୟାସ ଖଣିରୁ ମିଳୁଥିବା ବିଷାକ୍ତ ଗ୍ୟାସ ମଧ୍ୟରୁ ଗୋଟିଏ | ଖଣି ମଧ୍ୟରେ CO ଗ୍ୟାସ ଦ୍ୱାରା ଘଟିଥିବା ମୃତ୍ୟୁ ସଂଖ୍ୟାକୁ ଏଡ଼େଇ ଦିଆଯାଇ ପାରିବ ନାହିଁ |


ଏହି ଧୁଆଁରୁ ବାହାରୁଥିବା CO ଗ୍ୟାସ ଯେଉଁ ସ୍ଥାନମାନଙ୍କରେ ନିର୍ମଳ ବା ତାଜା ବାୟୁ ପ୍ରବାହ ହେଉନଥାଏ ସେହି ସ୍ଥାନରେ ଏକତ୍ରିତ ହୋଇଯାଏ ଓ ସେହିସ୍ଥାନରେ ଶ୍ୱାସକ୍ରିୟା ନେବାରେ ଅସୁବିଧା ହୁଏ |


ତେବେ ମନୁଷ୍ୟ ଶରୀର ଉପରେ ଏହାର ପ୍ରଭାବ କିପରି ପଡ଼ିଥାଏ ଆସନ୍ତୁ ଜାଣିବା | CO ଗୋଟିଏ ପ୍ରାଣ ଘାତକ ବିଷାକ୍ତ ଗ୍ୟାସ ଯିଏକି ରକ୍ତକୁ ଖରାପ କରିଦିଏ | ଯେତେବେଳେ ବାୟୁ ଆମ ଫୁସ୍ଫୁସ୍ କୁ ଯାଏ ଅମ୍ଳଜାନ ରକ୍ତରେ ହିମୋଗ୍ଲୋବିନ (Haemoglobin) ସହିତ ମିଶି ଏକ ଅସ୍ଥାୟୀ ପଦାର୍ଥ ଅକ୍ସିହିମୋଗ୍ଲୋବିନ (Oxyhaemoglobin) ତିଆରି କରେ | ରକ୍ତ ଯେତେବେଳେ ଶରୀରରେ ପ୍ରବେଶ କରେ କୋଷ ଜୀବନ ପୋଷଣ ପାଇଁ ସେହି ପଦାର୍ଥରୁ ଅମ୍ଳଜାନ ଗ୍ରହଣ କରିଦିଏ | CO ଗ୍ୟାସ ହିମୋଗ୍ଲୋବିନ ସହିତ ଅମ୍ଳଜାନ ଅପେକ୍ଷା ପ୍ରାୟ ଦୁଇଶହ ଗୁଣ ଶୀଘ୍ର ମିଶିଯାଏ | ଫୁସ୍ଫୁସ୍ ମଧ୍ୟରେ ଏହି ଗ୍ୟାସ ସାମାନ୍ୟ ମଧ୍ୟ ପହଂଚିଗଲେ ଶୀଘ୍ର ହିମୋଗ୍ଲୋବିନ ସହ ମିଶି ଏକ ଅସ୍ଥାୟୀ ପଦାର୍ଥ କାର୍ବୋକ୍ସିହିମୋଗ୍ଲୋବିନ (Carboxyhaemoglobin) ତିଆରି କରେ | ପ୍ରତ୍ୟେକ ଥର ଶ୍ୱାସକ୍ରିୟା ସମୟରେ ଅଧିକରୁ ଅଧିକ ରକ୍ତ ଅମ୍ଳଜାନ ଗ୍ରହଣ କରିବାରେ ଅସମର୍ଥ ହୋଇଥାଏ | ଫଳସ୍ୱରୂପ ଶରୀରକୁ ଅମ୍ଳଜାନ ମିଳିପାରେ ନାହିଁ | ଶେଷରେ ଅମ୍ଳଜାନ ଅଭାବରେ ମୃତ୍ୟୁ ଘଟିଥାଏ |


କାର୍ବନ ମୋନୋଅକ୍ସାଇଡ ରକ୍ତରେ ଥିବା ହିମୋଗ୍ଲୋବିନକୁ ନଷ୍ଟ କରିଦିଏ ଯାହା ଫଳରେ ରକ୍ତ ଦ୍ୱାରା ବିଭିନ୍ନ ଭାଗରେ ଅମ୍ଳଜାନ ପହଂଚିବାର କାର୍ଯ୍ୟଶକ୍ତି ମଧ୍ୟ ନଷ୍ଟ ହୋଇଯାଏ |

CO ଗ୍ୟାସ ପ୍ରଭାବରେ ବ୍ୟକ୍ତି ପାଖରେ ଦେଖା ଯାଉଥିବା ଲକ୍ଷଣ -

ନିଶ୍ୱାସ ପ୍ରଶ୍ୱାସ ସମୟରେ ଅଧିକ ମାତ୍ରାରେ କାର୍ବନ ମୋନୋଅକ୍ସାଇଡ ଭିତରକୁ ଯିବା ଫଳରେ ଶରୀର ଶେଥା ଦେଖାଯାଏ, ମୁଣ୍ଡ ବୁଲାଇବା ସହ ଦୁର୍ବଳ ଅନୁଭବ ହୁଏ | ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ, ମୁଣ୍ଡ ବ୍ୟଥା, ବାନ୍ତି ଲାଗିବା, ଛାତି ପୋଡିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ |


ଅଧିକ ସମୟରେ ଏହି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଏହା ଜାଣିବା ପାଇଁ ଅସୁବିଧା ହୁଏ କି ବ୍ୟକ୍ତିଟି CO ଗ୍ୟାସ ଦ୍ୱାରା ପ୍ରଭାବିତ ହୋଇଛି | କାରଣ ଏହାର ଲକ୍ଷଣ ଅନ୍ୟ ରୋଗର ଲକ୍ଷଣ ସହ ସମାନ ହୋଇପରେ | ଯଦି ଜଣେ ଶୋଇଥିବା ଅବସ୍ଥାରେ ତା ଶରୀର ମଧ୍ୟରେ ଏହି ଗ୍ୟାସ ପ୍ରବେଶ କରେ ତେବେ ଲକ୍ଷଣ ଦେଖାଇବା ପୂର୍ବରୁ ମୃତ୍ୟୁ ହୋଇପାରେ |


ଯଦି କୌଣସି ବ୍ୟକ୍ତି CO ଗ୍ୟାସରେ ପ୍ରଭାବିତ ହୋଇଛି ପ୍ରାଥମିକ ପଦକ୍ଷେପ କଣ କରିବା ଉଚିତ-

ବ୍ୟକ୍ତିଟିକୁ କୌଣସି କାମ କରିବା ପାଇଁ ଦେବା ନାହିଁ | ଏପରିକି ଚାଲିବା ମଧ୍ୟ ଉଚିତ ନୁହେଁ | ତୁରନ୍ତ ଶୁଦ୍ଧ ବାୟୁ ପ୍ରବାହିତ ହେଉଥିବା ସ୍ଥାନକୁ ନେବା ଉଚିତ | ଅଧିକ ଥଣ୍ଡା ପବନ ଠାରୁ ଦୁରେଇ ରଖିବା | କମ୍ବଳ ଘୋଡାଇବା |


ପ୍ରାୟତଃ ଏହି ଘଟଣା ଶୀତ ଦିନରେ ହୋଇଥାଏ | ଥଣ୍ଡା ସମୟରେ କୋଠରୀକୁ ଗରମ ରଖିବା ପାଇଁ ଚୁଲ୍ହା ଅଥବା କୁଣ୍ଡରେ ନିଆଁ ଜଳାଇଥାନ୍ତି | ଯାହା ଫଳରେ କୋଠରୀ ଗରମ ରହିଥାଏ କିନ୍ତୁ ଏହା ଉଚିତ ନୁହେଁ | କାରଣ ଚୁଲ୍ହାରୁ CO ଗ୍ୟାସ ବାହାରି କୋଠରୀରେ ବ୍ୟାପିଯାଏ ଓ ବିପଦର କାରଣ ହୋଇଥାଏ | ଚୁଲ୍ହା ଓ କୁଣ୍ଡରେ ନିଆଁ ଜଳାଇବା ସମୟରେ କବାଟ, ଝରକା ଖୋଲା ରଖିବା ଜରୁରୀ | ଶୋଇବା ସମୟରେ ଚୁଲ୍ହା, କୁଣ୍ଡ ଆଦିକୁ ବନ୍ଦ କରିବା ଦରକାର | ଝରକା ବନ୍ଦ ଥିବା କାର, ଟ୍ରକ ଆଦି ଅଧିକ ସମୟ ଗୋଟିଏ ଜାଗାରେ ଅଟକି ରହିଲେ ଗାଡ଼ିରୁ CO ଗ୍ୟାସ ବାହାରି ଭିତରେ ଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ | ଝରକା ବନ୍ଦ କରି ଗାଡି ଭିତରେ ଶୀତ ତାପ ନିୟ୍ଂତ୍ରକ (Air conditioner) ଚଳାଇ ଶୋଇବା ଅନେକ ସମୟରେ ଘାତକ ହୋଇଥାଏ |


ଅନୁକମ୍ପା ଦାସ, RIHS, Bhograi

 
 
 

Comments


Subscribe Form

Thanks for submitting!

+91 9437942080

  • Facebook
  • Instagram

©2020 by Vigyana Parichaya. Proudly created with Wix.com

bottom of page