top of page
Search

ଜଠରଶୋଥ- ଜଣା ଓ ଅଜଣା (GASTRITIS-KNOWN & UNKNOWN)

ବର୍ତ୍ତମାନ ଅଧିକାଂଶ ଲୋକଙ୍କର ଜଠରଶୋଥ (Gastritis) ସମସ୍ୟା ରହୁଛି | ଆମ ଖାଦ୍ୟ ପେୟର ଶୈଳୀ ହିଁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ | ଛୋଟ ପିଲା ହୁଅନ୍ତୁ କି ବୟସ୍କ ଲୋକ ସମସ୍ତଙ୍କୁ ଜଠରଶୋଥ ହେବାର ସମ୍ଭାବନା ରହିଥାଏ | ଜଠରଶୋଥ ସମସ୍ୟାର ଠିକ ଭାବରେ ଚିକିତ୍ସା ନ କଲେ ରୋଗୀ ଅଧିକ କଷ୍ଟ ପାଇବା ସହ କର୍କଟ ରୋଗ ହେବାର ସମ୍ଭାବନା ରହିଛି | ତେବେ ଆମେ ଜାଣିବା ଜଠରଶୋଥ କଣ? ଏହା କିଭଳି ଭାବରେ ସମସ୍ତଙ୍କୁ ହୋଇଥାଏ?


[ସୂଚନା: ଜଠରଶୋଥ (Gastritis) ଓ ଗ୍ୟାସ ସମସ୍ୟା ଭିନ୍ନ ରୋଗ ଅଟନ୍ତି | ଗ୍ୟାସ ସମସ୍ୟା ସ୍ୱଳ୍ପ ସମୟ ପାଇଁ ହୋଇଥାଏ | ଗ୍ୟାସ୍ ସମସ୍ୟାରେ ଆମର କ୍ଷୁଦ୍ରାନ୍ତ୍ର (small intestine) ଏବଂ ଵୃହଦନ୍ତ୍ର (large intestine) ଭିତରେ ଥିବା ଗ୍ୟାସ୍ ହାକୁଟି ଇତ୍ୟାଦି ଦ୍ୱାରା ମୁକ୍ତ ହେବା ପରେ ଆମ ଯନ୍ତ୍ରଣା କମିଯାଇଥାଏ | ମାତ୍ର ଜଠରଶୋଥରେ ଏପରି ହୋଇନଥାଏ |]

ଜଠରଶୋଥ ହେଉଛି ପେଟ ସମ୍ବନ୍ଧୀୟ ରୋଗ | ଏହା ଆମ ପାକସ୍ଥଳୀକୁ ପ୍ରଭାବ ପକାଇଥାଏ | ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗ୍ରନ୍ଥି ରହିଛି | ଏହି ଗ୍ରନ୍ଥିରୁ ପାଚକ ରସ (Gastric Juice) ଓ ଲବଣାମ୍ଳ (Hydrochloric acid) କ୍ଷରିତ ହୁଏ | ପାଚକ ରସରେ ଥିବା ପେପ୍ସିନ୍ ଏନ୍ଜାଇମ୍ (pepsin enzyme) ଅମ୍ଳୀୟ ପରିବେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ | ଲବଣାମ୍ଳ ଖାଦ୍ୟରେ ଥିବା କ୍ଷତିକାରକ ବୀଜାଣୁ (bacteria) ଆଦିକୁ ମାରିଦିଏ | ପାକସ୍ଥଳୀକୁ ଲବଣାମ୍ଳରୁ ରକ୍ଷା କରିବା ପାଇଁ ଗ୍ରନ୍ଥିରୁ ଶ୍ଳୈଷ୍ମା (Mucous) ମଧ୍ୟ ବାହାରିଥାଏ | ଜଠରଶୋଥ ହେଉଛି ଏକ ଅବସ୍ଥା ଯେଉଁଠାରେ ପାକସ୍ଥଳୀର ଆଚ୍ଛାଦନ ବିଭିନ୍ନ କାରଣରୁ ପ୍ରଦାହ ହୋଇଯାଏ ଯାହା ଦ୍ୱାରା ଶ୍ଳୈଷ୍ମା କମ୍ ଉତ୍ପାଦନ ହୁଏ | ଯାହାଫଳରେ ଶକ୍ତିଶାଳୀ ଲବଣାମ୍ଳ ପାକସ୍ଥଳୀର କୋଷ ଗୁଡିକୁ ନଷ୍ଟ କରିବାରେ ସକ୍ଷମ ହୋଇଯାଏ | ଜଠରଶୋଥ ବେଳେବେଳେ ପାଚନ କ୍ଷତ (gastric/peptic ulcer) କୁ ମଧ୍ୟ ରୂପାନ୍ତରିତ ହୋଇଯାଇପାରେ |


Helicobacter pylori (credit: CDC/Dr. Patricia Fields, Dr. Collette Fitzgerald (PHIL #5715), 2004)

ଶ୍ଳୈଷ୍ମିକ ଝିଲ୍ଲୀର (Mucous membrane) ଏକ ସ୍ତର, ପାକସ୍ଥଳୀ ଓ ଗ୍ରହଣୀ (Duodenum) ର ଭିତରେ ଥିବା ଝିଲ୍ଲୀକୁ ଅମ୍ଳ ପ୍ରଭାବରୁ ରକ୍ଷା କରେ | ଏହି ସ୍ତର କୌଣସି କାରଣରୁ କ୍ଷତିଗ୍ରସ୍ତ ହେଲେ ପାକସ୍ଥଳୀରୁ ବାହାରୁଥିବା ଅମ୍ଳ ପ୍ରବାହ ବା କ୍ଷତ ସୃଷ୍ଟି କରେ, ଏହାର ଅନ୍ୟ କାରଣ ଗୁଡିକ ହେଲା:- ହେଲିକୋବ୍ୟାକ୍ଟ୍ର ପାଇଲୋରି (Helicobacter pylori) ନାମକ ବୀଜାଣୁ ସଂକ୍ରମଣ, ଅଧିକ ଯନ୍ତ୍ରଣା ଉପଶମକାରୀ ଔଷଧ (pain-killer) ଖାଇବା, ଠିକ ସମୟରେ ନ ଖାଇବା, ଉପବାସ ରହିବା, ବାହାର ଖାଦ୍ୟ ଖାଇବା, ଛଣା ଖାଦ୍ୟ ଅଧିକ ଖାଇବା, ଧୂମପାନ, ତମାଖୁ, ମଦ୍ୟପାନ, ମାନସିକ ଚାପ ଇତ୍ୟାଦି ଦ୍ୱାରା ଏହି ରୋଗ ହୋଇଥାଏ |


ଅନେକ ସମୟରେ ଜଠରଶୋଥର କୌଣସି ଲକ୍ଷଣ ନ ଥାଏ | ଅଧିକାଂଶ ସମୟରେ ପେଟର ଉପର ଭାଗରେ ପୋଡା-ଜଳା ବା ବ୍ୟଥା ହୋଇଥାଏ | ପାକସ୍ଥଳୀର କ୍ଷତ ଥିଲେ,ଖାଦ୍ୟ ଖାଇଲେ ଯନ୍ତ୍ରଣା ବେଶୀ ଜଣାପଡେ |ଏହା ଛଡା ପାଚନ କ୍ଷତ ଯୋଗୁଁ ଭୋକ କମିଯିବା, ବାନ୍ତି ଲାଗିବା, ମୁଣ୍ଡ ଦରଜ ହେବା, ଓଜନ ହ୍ରାସ ପାଇବା, ଆଦି ଲକ୍ଷଣ ହୋଇପାରେ | ପାଚନ କ୍ଷତର ପ୍ରଧାନ ଜଟିଳତା ହେଲା କ୍ଷତ ଗଭୀର ହୋଇ ରକ୍ତନଳୀକୁ କ୍ଷତିଗ୍ରସ୍ତ କରିବା ଦ୍ୱାରା ରକ୍ତକ୍ଷରଣ ହୋଇପାରେ | ରକ୍ତକ୍ଷରଣ ଅଧିକ ହେଲେ ରକ୍ତବାନ୍ତି ଓ କଲାଝାଡ଼ା ହୋଇପାରେ | ବହୁତ ଦିନ ଧରି ରକ୍ତକ୍ଷରଣ ହୋଇଥିଲେ ଲୌହ ଅଭାବରୁ ରକ୍ତହୀନତା ହୋଇପାରେ | ଅତ୍ୟଧିକ ହେଲେ ପାଚନ କ୍ଷତ ଗଭୀର ହୋଇଥାଏ ଓ ପାକସ୍ଥଳୀକୁ କଣା କରିଦିଏ |

ଏ ସବୁ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ଅଟେ | ଡାକ୍ତରଙ୍କ ବିନା ଅନୁମତିରେ ଚିକିତ୍ସା ଆଦୌ ପରାମର୍ଶ ଯୋଗ୍ୟ ନୁହେଁ | ରୋଗର ସଠିକ ନିର୍ଣ୍ଣୟ କରିବା ପାଇଁ ଡାକ୍ତର ଏଣ୍ଡୋସ୍କୋପି (Endoscopy) ର ମଧ୍ୟ ସାହାଯ୍ୟ ନିଅନ୍ତି | ଏଣ୍ଡୋସ୍କୋପିରେ ଏକ ଲମ୍ବା କ୍ୟାମେରା ଯୁକ୍ତ ନଳୀ ପାଟି ବାଟ ଦେଇ ଭର୍ତି କରାଯାଏ ଯାହା ପାକସ୍ଥଳୀର ଅନ୍ତଃ ଚିତ୍ର ଆମକୁ ଦେଖାଏ | ରୋଗ ହେବା ମାତ୍ରେ ବହୁତ କିଛି ଜିନିଷ ନିୟନ୍ତ୍ରଣ କରିବାକୁ ପଡିଥାଏ | ଯେପରିକି ସନ୍ତୁଳିତ ଖାଦ୍ୟ ଖାଇବା, ପ୍ରଚୁର ପରିମାଣରେ ପାଣି ପିଇବା, ଯନ୍ତ୍ରଣା ଉପଶମକାରୀ ଔଷଧ ଯଥା ସମ୍ଭବ ଦୂରେଇ ରହିବା, ଖାଦ୍ୟକୁ ଭଲଭାବରେ ଚୋବାଇ ଚୋବାଇ ଖାଇବା, ମାନସିକ ଚିନ୍ତା ଠାରୁ ଦୂରେଇ ରହିବା, ରାତ୍ରି ଅନିଦ୍ରା ନ ରହିବା ଓ ନିୟମିତ ଖାଦ୍ୟ ଖାଇବା |


'ଉପଶମ ଅପେକ୍ଷା ପ୍ରତିରୋଧ ଭଲ' | ତେବେ ଯେପରି ଏ ରୋଗ ନ ହେବ ତାହା ପାଇଁ ଆମକୁ ଏହାର କାରଣଗୁଡିକୁ ନିଜ ଜୀବନଶୈଳୀରେ ନ ଆପଣେଇବା ଉଚିତ | ତେବେ ଡେରି କାହିଁକି ଆଜିଠୁ ହିଁ ଏକ ସୁସ୍ଥ ଜୀବନର ପରିକଳ୍ପନା କରି ସେ ଦିଗରେ ପଦକ୍ଷେପ ନିଅନ୍ତୁ | କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ |

ଅନୁକମ୍ପା ଦାସ, RIHS, Bhograi

 
 
 

2 Comments


Barnali Das
Barnali Das
Aug 14, 2020

Thankyou Bhai 😄

Like

Nice information to everyone mimi keep it up

Like

Subscribe Form

Thanks for submitting!

+91 9437942080

  • Facebook
  • Instagram

©2020 by Vigyana Parichaya. Proudly created with Wix.com

bottom of page