କେମିତି ଆସେ ବାଦ୍ୟଯନ୍ତ୍ରରୁ ସୁମଧୁର ସ୍ୱର ! (HOW SWEET SOUNDS COME FROM MUSICAL INSTRUMENT !)
- Barnali Das
- Jul 24, 2020
- 3 min read

ସଙ୍ଗୀତ ହେଉଛି ମାନବଜାତି ପ୍ରତି ଏକ ଅମୂଲ୍ୟ ଉପହାର | ସଙ୍ଗୀତ ସମଗ୍ର ଜଗତରେ ଆତ୍ମୀୟତା ଭରିଦିଏ ଏବଂ ମନକୁ ଏକ ଶାନ୍ତିପୂର୍ଣ୍ଣ ସ୍ଥିତିରେ ପହଞ୍ଚାଇଦେଇଥାଏ | ତେବେ ଏହି ସଙ୍ଗୀତକୁ ପ୍ରାଣ ଦେଇଥାଏ ସାଙ୍ଗୀତିକ ବାଦ୍ୟଯନ୍ତ୍ର | ଏହି ବାଦ୍ୟଯନ୍ତ୍ର ଗୁଡ଼ିକରୁ ଯେଉଁ ଧ୍ୱନି ଉତ୍ପନ୍ନ ହୋଇଥାଏ, ତାହା ଅତି ସୁନ୍ଦର ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ଆଧାରିତ | ଆମ୍ଭେ ଏହି ପ୍ରବନ୍ଧ ମାଧ୍ୟମରେ ଏହି ବାଦ୍ୟଯନ୍ତ୍ର ସମ୍ବନ୍ଧୀୟ ବିଜ୍ଞାନ ବିଷୟରେ ଜାଣିବା |
ସଙ୍ଗୀତ ବାଦ୍ୟଯନ୍ତ୍ର ଅନେକ ପ୍ରକାରର ଅଛି | ଏହି ପ୍ରବନ୍ଧ ରେ ଆମେ ମୁଖ୍ୟତଃ ତାର ବାଦ୍ୟଯନ୍ତ୍ର (string instrument) (ଯେପରିକି ସୀତାର, ବୀଣା) ଏବଂ ସୁଷିର ବାଦ୍ୟଯନ୍ତ୍ର (wind instrument) (ଯେପରିକି ବଂଶୀ, ତୂରୀ) ସମ୍ବନ୍ଧ ରେ ଜାଣିବା | ତେବେ ଏଥିରେ ଅନ୍ତର୍ନିହିତ ବିଜ୍ଞାନ ଜାଣିବା ପୂର୍ବରୁ ଆମକୁ ସଂଗୀତ ର ସ୍ୱର ବିଷୟରେ ଜାଣିବାକୁ ପଡ଼ିବ | ସଂଗୀତର କେତୋଟି ମୌଳିକ ସ୍ୱର ଥାଏ ସେଗୁଡିକ ହେଲା "ସା ରେ ଗା ମା ପା ଧା ନି" | ପ୍ରକୃତରେ ଏହି ଅଲଗା ଅଲଗା ସ୍ୱର ଗୁଡିକ ହେଉଛନ୍ତି ଶବ୍ଦ ତରଙ୍ଗର ବିଭନ୍ନ ଆବୃତ୍ତି (frequency) | ଶବ୍ଦର ଏକ ନିର୍ଦ୍ଦିଷ୍ଟ ଆବୃତ୍ତି ଏକ ନିର୍ଦ୍ଦିଷ୍ଟ ସ୍ୱର ପ୍ରଦାନ କରିଥାଏ | ତେବେ ବାଦ୍ୟଯନ୍ତ୍ରରେ ଆଙ୍ଗୁଳିର ସଠିକ ବ୍ୟବହାର କରି ଆମ୍ଭେ ଶବ୍ଦର ଆବୃତ୍ତିକୁ ନିୟନ୍ତ୍ରଣ କରି ସୁନ୍ଦର ସ୍ୱର ଉତ୍ପନ୍ନ କରିପାରିବା |
ସ୍ଥିର ତରଙ୍ଗ (Stationary Wave):

ଏହି ବୈଜ୍ଞାନିକ ଘଟଣା ହେଉଛି କୌଣସି ବି ବାଦ୍ୟଯନ୍ତ୍ରର ସ୍ୱର ଉତ୍ପାଦନ ପଛର ବିଜ୍ଞାନ | ଆମେ କୌଣସି ତାରକୁ ଭଲ ଭାବେ ଦୁଇଟି ଖିଲ (clamp) ମଧ୍ୟରେ ବାନ୍ଧିବା ଯେପରି ତାରଟି ସମ୍ପୂର୍ଣ ଭାବେ ଦୃଢ ହେଇ ରହିଥିବା (ଢିଲା ହେଇନଥିବ) | ତେବେ ଏହି ତାରରେ ଆମ୍ଭେ ଲଗାତାର କମ୍ପନ (vibration) ସୃଷ୍ଟି କରିବା, ଯାହାଦ୍ୱାରା ଏକ ତରଙ୍ଗ ସୃଷ୍ଟି ହବ | ଆପଣ ଯଦି ଭଲଭାବେ ଲକ୍ଷ୍ୟ କରିବେ ଏହା ପ୍ରକୃତ ରେ ଗୋଟିଏ ତରଙ୍ଗ ନୁହେଁ ବରଂ ଦୁଇଟି | ଆମେ ଯେଉଁ କମ୍ପନ ସୃଷ୍ଟି କରାଇଥାଉ ତାହାଦ୍ୱାରା ପ୍ରଥମ ତରଙ୍ଗ ସୃଷ୍ଟି ହୁଏ ଏବଂ ଦ୍ଵିତୀୟ ତରଙ୍ଗ ସୃଷ୍ଟି ହୁଏ ପ୍ରଥମ ତରଙ୍ଗର ଖିଲ ଦ୍ୱରା ହୋଇଥିବା ପ୍ରତିଫଳନ ଦ୍ୱାରା | ଏହି ଦୁଇଟି ତରଙ୍ଗ ମିଶି ଏକ ଡିଜାଇନ ସୃଷ୍ଟି କରନ୍ତି , ଏହାକୁ ସ୍ଥିର ତରଙ୍ଗ କୁହାଯାଏ | ଏଠାରେ ଦିଅଯାଇଥିବା ଚିତ୍ରରେ ଏହି ଡିଜାଇନଟି କିପରି ଦେଖାଯାଏ ତାହା ଦର୍ଶାଯାଇଛି | ଏଥିରେ ଯେଉଁ ଅଣ୍ଡାକୃତି ଅଂଶ ଦେଖାଯାଉଛି ତାହାକୁ ଇଂରାଜୀରେ ଲୋବ (lobe) କୁହାଯାଏ |
ଏହାକୁ ସ୍ଥିର ତରଙ୍ଗ କାହିଁକି କୁହାଯାଏ? ଉକ୍ତ ଭିଡ଼ିଓରେ ଏହାକୁ ଦେଖିଲେ ଲାଗୁଛି କି ଏହି ତରଙ୍ଗଟି ସେହି ସ୍ଥାନରେ ରହିଛି ଏବଂ ଗତି କରୁନାହିଁ | ଏହା ଗତି କରିଲା ପରି ଜଣାପଡ଼ୁନି ତେଣୁ ଏହାକୁ ସ୍ଥିର ତରଙ୍ଗ କୁହାଯାଏ | ଆମେ ତାରର କୌଣସି ଏକ ବିନ୍ଦୁ ପରି ଛୋଟ ଜାଗାକୁ ଲକ୍ଷ୍ୟ କଲେ ଏମିତି ଲାଗିବ ଯେପରି ଏହା ସେହି ସ୍ଥାନରେ ଦୋଳାୟମାନ ହେଉଛି | ଏହି ତାରରେ ଏମିତି କିଛି ବିନ୍ଦୁ ଅଛି ଯେଉଁ ସ୍ଥାନରେ ତାହା ସବୁଠୁ ବେଶୀ ଦୋଳନ କରୁଛି ଏବଂ ଆଉ କିଛି ବିନ୍ଦୁ ଅଛି ଯେଉଁ ସ୍ଥାନରେ ବିନ୍ଦୁଟି ପାଖାପାଖି ଶୂନ୍ୟ ଦୋଳନ କରୁଛି | ତେବେ ଉକ୍ତ ଦୁଇ ସ୍ଥାନ କୁ କ୍ରମାନୁସାରେ ପ୍ରସ୍ୟନ୍ଦ (antinode) ଏବଂ ନିସ୍ପନ୍ଦ (node) କୁହାଯାଏ | ତେବେ ଆମେ କୌଣସି ଭାବେ ଲୋବ (lobe) ଗୁଡିକର ସଂଖ୍ୟା କିମ୍ବା ଆକୃତିକୁ କମାଇଲେ ବା ବଢ଼ାଇଲେ ଏହା ସହିତ ଜଡିତ ତରଙ୍ଗର ଆବୃତ୍ତି ବଦଳିଥାଏ |
ତାର ବାଦ୍ୟଯନ୍ତ୍ର (String Instrument):
ଏଗୁଡିକର ବାଦନ ନିମନ୍ତେ ତାର (string) ର ବ୍ୟବହାର ହୋଇଥାଏ | ବାଦକ ଏଥିରେ ଥିବା ତାରର ଗୋଟିଏ ମୁଣ୍ଡରେ ନିଜ ହାତ (ବୀଣାରେ) କିମ୍ବା ଅନ୍ୟ କୌଣସି ବସ୍ତୁ (କେନ୍ଦରାରେ) ସାହାଯ୍ୟରେ କମ୍ପନ ସୃଷ୍ଟି କରେ ଯଦ୍ୱାରା ଶବ୍ଦ ତରଙ୍ଗ ସୃଷ୍ଟି ହୁଏ | ଏଥିରେ ମଧ୍ୟ ଲୋବ ସୃଷ୍ଟି ହୁଏ | ତେବେ ଏହି ଲୋବର ଆକାର ଏବଂ ସଂଖ୍ୟାକୁ ନିୟନ୍ତ୍ରଣ କରି ବାଦକ ଜଣକ ଏହି ଯନ୍ତ୍ରରୁ ସୁନ୍ଦର ସୁନ୍ଦର ସ୍ୱର ଉତ୍ପନ୍ନ କରିପାରନ୍ତି | ଏହି ଆକାର ଏବଂ ସଂଖ୍ୟା ପରିବର୍ତନ କିପରି ହୁଏ ତାହା ଆସନ୍ତୁ ଜାଣିବା | ଆପଣ ମାନେ ଲକ୍ଷ୍ୟ କରିଥିବେ ବାଦକ ମାନେ ବିଭିନ୍ନ ସ୍ଥାନ ରେ ଅଙ୍ଗୁଳିର ଟିପ ଦେଇ ମଧ୍ୟ ଭିନ୍ନ ଭିନ୍ନ ସ୍ୱର ଉତ୍ପନ୍ନ କରନ୍ତି | ଯେଉଁ ସ୍ଥାନରେ ଆଙ୍ଗୁଳିର ଟିପ ଦିଅନ୍ତି ସେହି ସ୍ଥାନରେ ଏକ ନିସ୍ପନ୍ଦ ବନିଯାଏ | ତେବେ ତାରରେ ସୃଷ୍ଟି ହୋଇଥିବା ତରଙ୍ଗ ନିଜ ଆବୃତ୍ତିକୁ ସେଇଭଳି ବଦଳାଇ ଦିଏ ଯେପରି ଉକ୍ତ ସ୍ଥାନରେ ନିସ୍ପନ୍ଦ ରହିପାରିବ | ଶବ୍ଦର ଆବୃତି ବଦଳେ ତେଣୁ ସ୍ୱର ମଧ୍ୟ ବଦଳି ଥାଏ |

ସୁଷିର ବାଦ୍ୟଯନ୍ତ୍ର (Wind Instrument):
ଏହି ପ୍ରକାର ଯନ୍ତ୍ର ଗୁଡିକ ନଳୀ ପରି ଦେଖାଯାଇଥାଏ, ଏହାର ଉଦ୍ଭାବନ ବାଉଁଶ ବୁଦାରେ ହିଁ ହୋଇଥିଲା, ବାଉଁଶ ବୁଦାରେ କିଛି ବାଉଁଶ ରେ ଛିଦ୍ର ହୋଇଯାଇଥାଏ , ଯେତେବେଳେ ପବନ ବୋହିଥାଏ ଏହି ବାଉଁଶ ବୁଦା ରୁ ସୁନ୍ଦର ସ୍ୱର ସୁଭିଥାଏ, ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ କି ବାଉଁଶରେ ଯେଉଁ ଛିଦ୍ର ଅଛି ତାହା ଏହି ସ୍ୱର ଉତ୍ପନ୍ନ କରୁଛି, ସେମାନେ ବାଉଁଶ କାଟି ସେଥିରେ ଛିଦ୍ର ବନାଇ ନିଜ ପାଟି ଦ୍ୱାରା ଫୁଙ୍କି ସୁନ୍ଦର ଶବ୍ଦ ସୃଷ୍ଟି କରିପାରିଲେ | ଏହିପରି ବଂଶୀର ଉଦ୍ଭାବନ ହୋଇଥିଲା |

ଏହି ଯନ୍ତ୍ରରେ ନିଜ ମୁହଁରୁ ଫୁଙ୍କି ପବନ ଦ୍ୱାରା କମ୍ପନ ସୃଷ୍ଟି କରାଯାଏ | ବଂଶୀରେ କିପରି ସ୍ୱର ବାହାରିଥାଏ ସେ ବିଷୟରେ ଜାଣିବା | ପବନ ତାର ଭଳି ନ ଦିଶୁଥିଲେ ମଧ୍ୟ ଏଥିରେ ତାର ଭଳି ସ୍ଥିର ତରଙ୍ଗ ସୃଷ୍ଟି ହୋଇପାରିବ | ବଂଶୀ ଭିତରେ ଥିବା ପବନକୁ ଆମେ ତାର ବୋଲି ଭାବି ପାରିବା | ପବନ କିମ୍ବା କୌଣସି ମାଧ୍ୟମର କଣିକା ଗୁଡିକର ସାନ୍ଦ୍ରତା ଯେଉଁଠାରେ ଅଧିକ ହୋଇଯାଏ ସେ ଭାଗକୁ ପବନ ତରଙ୍ଗର ଶିଖର ବୋଲି କୁହାଯାଏ ଏବଂ ଯେଉଁଠାରେ ସାନ୍ଦ୍ରତା କମ ସେ ଭାଗକୁ ଗହ୍ୱର ବୋଲି କୁହାଯାଏ |

ବଂଶୀରେ ମୁଖ୍ୟତଃ 7ଟି ଛିଦ୍ର ଥାଏ, ପ୍ରଥମ ଛିଦ୍ରଟିରେ ମୁହଁ ଦ୍ୱାରା ଫୁଙ୍କି ପବନ ପ୍ରବାହ କରାଯାଇଥାଏ | ଅନ୍ୟ ଛିଦ୍ର ଗୁଡିକକୁ ବନ୍ଦ କରି ବିଭିନ୍ନ ପ୍ରକାର ଆବୃତ୍ତିର ଶବ୍ଦ ଉତ୍ପନ୍ନ କରାଯାଏ | ବଂଶୀ ରେ ଯେଉଁ ସ୍ଥାନରେ ଛିଦ୍ରଟି ଖୋଲା ଥାଏ ସେହି ସ୍ଥାନରେ ପ୍ରସ୍ୟନ୍ଦ ସୃଷ୍ଟି ହୁଏ | ଆମେ ଯେତେବେଳେ ପ୍ରଥମ ଛିଦ୍ର ରେ ଫୁଙ୍କିଥାଉ ତେବେ ସେଠାରେ ପ୍ରସ୍ୟନ୍ଦ ସୃଷ୍ଟି ହୁଏ, ଏବଂ ପରବର୍ତୀ ସର୍ବପ୍ରଥମ ଖୋଲା ଛିଦ୍ର ଦେଇ ପ୍ରାୟଃ ସମସ୍ତ ପବନ ବାହାରିଯାଇଥାଏ, ସେହି ସ୍ଥାନରେ ମଧ୍ୟ ପ୍ରସ୍ୟନ୍ଦ ସୃଷ୍ଟି ହୁଏ | ବଂଶୀରେ ଯେଉଁ ଲୋବ ସୃଷ୍ଟି ହୁଏ ସେଗୁଡିକର ସଂଖ୍ୟା ସମାନ ଥାଏ କେବଳ ତାହାର ଆକାର ବଦଳାଇ ଆମେ ବିଭିନ୍ନ ଶବ୍ଦ ଉତ୍ପନ୍ନ କରିପାରିବା | ଆମେ ବିଭିନ୍ନ ଛିଦ୍ରଗୁଡିକ ବନ୍ଦ କଲେ ବିଭିନ୍ନ ଆକାରର ଲୋବ ସୃଷ୍ଟିହୁଏ, ଯଦ୍ୱାରା ବିଭିନ୍ନ ଆବୃତ୍ତି ର ଶବ୍ଦ ଉତ୍ପନ୍ନ ହୁଏ |
ମୃଦଙ୍ଗ, ତବଲା, ଇଲେକ୍ଟ୍ରନିକ୍ ବାଦ୍ୟଯନ୍ତ୍ର ଆଦି ଅନ୍ୟ ପ୍ରକାରର ବାଦ୍ୟଯନ୍ତ୍ରର ବିଜ୍ଞାନ ଏହାଠାରୁ ଟିକିଏ ଭିନ୍ନ ଯାହା ଆମେ ଅନ୍ୟ ଏକ ପ୍ରବନ୍ଧରେ ଜାଣିବା |
ଶ୍ରେୟାନିଲ ଭୂୟାଁ, IIT, Kanpur
Commentaires