top of page
Search

ଆଲୋକର ଦ୍ୱୈତ ପ୍ରକୃତି (DUAL NATURE OF LIGHT)

Updated: Jul 24, 2020

ଆଲୋକ ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ | ଆଲୋକ ବିନା ଜଗତର କଳ୍ପନା କରିବା ଅସମ୍ଭବ | ଆଲୋକ ସମ୍ବନ୍ଧରେ କିଛି ତଥ୍ୟ ଯେପରି ଏହାର ଗଠନ ପ୍ରଣାଳୀ, ଏହାର ଗୁଣ ଏ ବିଷୟରେ କିଛି ତଥ୍ୟ ଏହି ପ୍ରବନ୍ଧ ରେ ବର୍ଣ୍ଣିତ |

ଆଲୋକ ସମ୍ବନ୍ଧୀୟ ଗବେଷଣା ଅନେକ ବର୍ଷ ଧରି ଚାଲି ଆସୁଛି | ପ୍ରଥମେ ସାର ଆଇଜାକ ନିଉଟନ (Sir Isaac Newton) 1639 ମସିହାରେ ନିଉଟନ କର୍ପସ୍କୁଲାର ସିଦ୍ଧାନ୍ତ (Newton’s Corpuscular Theory) ଅନୁସାରେ ଆଲୋକ ହେଉଛି ଅନେକ କଣିକା (particle) ର ଏକୀକରଣ | ଏହା ସରଳ ରେଖାରେ ଗତି କରେ ଏବଂ ଏକ ସାଧାରଣ କଣିକାର ସମସ୍ତ ଗୁଣକୁ ମାନିଥାଏ | ସରଳ ଭାବେ ଆଲୋକ ଏକ କଣିକା ପରି ଆଚରଣ ଦେଖାଇଥାଏ | 1690 ମସିହାରେ ହାଇଜେନ (Hyugen) ନାମକ ଜଣେ ବୈଜ୍ଞାନିକ ନିଉଟନ ସିଦ୍ଧାନ୍ତ କୁ ବିରୋଧ କରିଥିଲେ ଏବଂ କହିଥିଲେ କି ଆଲୋକ ତରଙ୍ଗ ପରି ଆଚରଣ ଦେଖାଇ ଥାଏ | ଏହାର ସବିଶେଷ ପ୍ରମାଣ ରୂପକ ସେ ଗାଣିତିକ ଉପାୟରେ ସମାଧାନ କରିଥିଲେ | କିନ୍ତୁ ତାଙ୍କ ସିଦ୍ଧାନ୍ତକୁ କେହି ଧ୍ୟାନ ଦେଇ ନଥିଲେ | ସେତେବେଳେ ନିଉଟନ ଜଣେ ଖ୍ୟାତନାମା ବୈଜ୍ଞାନିକ ଥିଲେ ତେଣୁ ତାଙ୍କ ସିଦ୍ଧାନ୍ତକୁ ସମସ୍ତ ବୈଜ୍ଞାନିକ ମାନି ଯାଇଥିଲେ |


କିନ୍ତୁ ନିଉଟନ ନିଜ ସିଦ୍ଧାନ୍ତ ମାଧ୍ୟମରେ କିଛି ଘଟଣାର ସଠିକ ବ୍ୟାଖ୍ୟା କରିପାରିନଥିଲେ | ଯେପରି ଆଲୋକର ବ୍ୟତିକରଣ (interference of light), ଆଲୋକର ବିବର୍ତ୍ତନ (diffraction of light), ଆଲୋକର ଧ୍ରୁବଣ (polarization of light) | ଯଦି ଆମେ ଆଲୋକକୁ କଣିକାର ସମାରୋହ ଭାବିବା ତେବେ ଉପରୋକ୍ତ ଘଟଣା ଗୁଡିକର ବ୍ୟାଖ୍ୟା ଅସମ୍ଭବ | 1865 ମସିହାରେ ମ୍ୟାକ୍ସୱେଲ (Maxwell) ନିଜର ବିଦ୍ୟୁତଚୁମ୍ବକୀୟ ସିଦ୍ଧାନ୍ତ (Electromagnetic Theory) ରେ ଦର୍ଶାଇଲେ କି ଆଲୋକ ତରଙ୍ଗ ପରି ଗୁଣ ଦେଖାଏ | ତେବେ ହାଇଜେନ ଏବଂ ମ୍ୟାକ୍ସୱେଲଙ୍କ ସିଦ୍ଧାନ୍ତ ପରେ ସମଗ୍ର ବିଶ୍ୱର ବୈଜ୍ଞାନିକ ବିଶ୍ୱାସ କଲେ କି ଆଲୋକକୁ ତରଙ୍ଗ କହିବା ମଧ୍ୟ ଭୁଲ ନୁହେଁ | ଏପରି ଅନେକ ପରୀକ୍ଷଣ କରାଗଲା ପରେ ତନ୍ମଧ୍ୟରୁ କିଛି ଆଲୋକର ତରଙ୍ଗ ଗୁଣକୁ ସଠିକ ଉପସ୍ଥାପନା କଲା ଆଉ କିଛି କଣିକା ଗୁଣକୁ | ତନ୍ମଧ୍ୟରେ ଦୁଇଟି ପରୀକ୍ଷଣ ପ୍ରସିଦ୍ଧ ଥିଲା | ସେଗୁଡିକ ହେଲା ଥୋମାସ ୟଙ୍ଗ (Thomas Young) ଙ୍କ ଦୁଇ ଫାଟ ପରୀକ୍ଷଣ ଏବଂ ଆଲବର୍ଟ ଆଇନଷ୍ଟାଇନ (Albert Einstein) ଙ୍କ ଆଲୋକ-ବିଦ୍ୟୁତ୍ ପ୍ରଭାବ (Photoelectric Effect) ପରୀକ୍ଷଣ | ଏ ଦୁଇଟି ପରୀକ୍ଷଣ ସମ୍ବନ୍ଧ ରେ ସବିଶେଷ ଜାଣିବା |

ୟଙ୍ଗଙ୍କ ଦୁଇ ଫାଟ ପରୀକ୍ଷଣ (Young's Double Slit Experiment):-


1801 ମସିହାରେ, ୟଙ୍ଗ (Young), ଜଣେ ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ନିଜର ଏହି ପରୀକ୍ଷଣ ମାଧ୍ୟମ ରେ ଆଲୋକର ତରଙ୍ଗୀୟ ପ୍ରକୃତିର ପ୍ରମାଣ ଦର୍ଶାଇଥିଲେ | ଏହି ସମ୍ବନ୍ଧରେ ଜାଣିବା ପୂର୍ବରୁ ଆମ ଦୈନନ୍ଦିନ ଜୀବନରୁ ଏକ ଉଦାହରଣ ଦେଖିବା |

ଆପଣ ମାନେ କୌଣସି ପୋଖରୀ କିମ୍ବା ନଦୀରେ ପଥର ପକାଇଲେ ଜଳତରଙ୍ଗ (Water Ripples) ସୃଷ୍ଟି ହେଉଥିବାର ଦେଖୁଥିବେ | ଜଳର ଯେଉଁ ସ୍ଥାନରେ ପଥର ପଡିଥାଏ ତାହାକୁ କେନ୍ଦ୍ର କରି ବୃତ୍ତାକାର ଆକୃତ୍ତିର ଜଳତରଙ୍ଗ ସୃଷ୍ଟି ହୋଇ ଧୀରେ ଧୀରେ ବଡ ହୋଇଥାଏ | ପ୍ରକୃତ୍ତରେ ଏହା ଅନେକ ଜଳ ତରଙ୍ଗର ସମାରୋହ | ସମସ୍ତ ତରଙ୍ଗ ମିଶି ଏହାକୁ ଏକ ବୃତ୍ତାକାର ଆକୃତି ଦେଇଥାନ୍ତି |

ଆମେ ଏକ ଭିଡିଓ ଦେଖାଇବାକୁ ଚାହିଁବୁ |

ଉକ୍ତ ଭିଡିଓରେ ଯେତେବେଳେ ଆପଣ ଏକ ବଲ କୁ ନେଇ ଜଳରେ ଦୋହଲେଇବେ ତେବେ ଜଳତରଙ୍ଗ ସୃଷ୍ଟି ହୁଏ | ଯେତେବେଳେ ଆପଣ ଦୁଇଟି ବଲ ପାଖାପାଖି ନେଇ ଏକ ସଂଗେ ଦୋହଲେଇବେ ଦୁଇଟି ସ୍ଥାନରୁ ଏକ ସଂଗେ ଜଳତରଙ୍ଗ ସୃଷ୍ଟି ହେବ ଏବଂ ପରସ୍ପର ସହ ମିଶି ଏକ ସୁନ୍ଦର ଡିଜାଇନ୍ ସୃଷ୍ଟି କରନ୍ତି ଯେଉଁଥିରେ ଜଳତରଙ୍ଗ ବିଛିନ୍ନ ହେଲାପରି ଦେଖାଯାଏ , କିଛି ସ୍ଥାନ ଖାଲି ଥାଏ ଆଉ କିଛି ସ୍ଥାନରେ ଜଳତରଙ୍ଗର କିଛି ଅଂଶ ଥାଏ | ଏହାକୁ ବ୍ୟତିକରଣ (interference) କୁହାଯାଏ | ଆପଣ ନିମ୍ନ ଭିଡ଼ିଓ କୁ ଦେଖନ୍ତୁ |

ଏପରି କାହିଁକି ହୁଏ?

କୌଣସି ପ୍ରକାର ତରଙ୍ଗର ସର୍ବୋଚ୍ଚ ଏବଂ ସର୍ବନିମ୍ନ ଅଂଶଗୁଡ଼ିକୁ ଯଥାକ୍ରମେ ଶିଖର (crest) ଏବଂ ଗହ୍ୱର (Trough) କୁହାଯାଏ | ତରଙ୍ଗର ସର୍ବୋଚ୍ଚ ଅଂଶକୁ ଶିଖର ଏବଂ ସର୍ବନିମ୍ନ ଅଂଶକୁ ଗହ୍ୱର କୁହାଯାଏ | ତେବେ ଯେତେବେଳେ ଦୁଇଟି ତରଙ୍ଗ ମିଶିଥାନ୍ତି ତେବେ ମୁଖ୍ୟତଃ ତିନି ପ୍ରକାର ପାରସ୍ପରିକ ମିଶ୍ରଣ ହୋଇଥାଏ

(i) ଗୋଟିଏ ତରଙ୍ଗର ଶିଖର ଆଉ ଗୋଟିଏର ଶିଖର ସଂଗେ

(ii) ଗୋଟିଏ ତରଙ୍ଗର ଶିଖର ଆଉ ଗୋଟିଏର ଗହ୍ୱର ସଂଗେ

(iii) ଗୋଟିଏ ତରଙ୍ଗର ଗହ୍ୱର ଆଉ ଗୋଟିଏର ଗହ୍ୱର ସଂଗେ

ଯେତେବେଳେ ଗୋଟିଏର ଶିଖର ଅନ୍ୟର ଶିଖର କିମ୍ବା ଗୋଟିଏର ଗହ୍ୱର ଆଉ ଗୋଟିଏର ଗହ୍ୱର ସଂଗେ ମିଶିଥାଏ ସେତେବେଳେ ତରଙ୍ଗର ଆୟାମ (Amplitude) ବଢ଼ିଯାଇଥାଏ , ଏହାକୁ ଗଠନମୂଳକ ବ୍ୟତିକରଣ (constructive Interference) କୁହାଯାଏ | ଯେଉଁ ସ୍ଥାନରେ ଜଳତରଙ୍ଗର କିଛି ଅଂଶ ଥାଏ ସେହି ସ୍ଥାନରେ ଏହିପରି ହୋଇଥାଏ ଯାହା ଫଳ ରେ ଆମକୁ ଏଠାରେ ଜଳତରଙ୍ଗ ଥିଲା ପରି ଦେଖାଯାଇଥାଏ |

ଯେତେବେଳେ ଗୋଟିଏର ଗହ୍ୱର ଅନ୍ୟର ଶିଖର ସଂଗେ ମିଶିଥାଏ ସେତେବେଳେ ତରଙ୍ଗର ଆୟାମ (Amplitude) କମିଯାଇଥାଏ କିମ୍ବା ଶୂନ୍ୟ ହେଇଥାଏ , ଏହାକୁ ଧ୍ଵଂସାତ୍ମକ ବ୍ୟତିକରଣ (Destructive Interference) କୁହାଯାଏ | ଯେଉଁ ସ୍ଥାନରେ ଜଳତରଙ୍ଗର କିଛିବି ଅଂଶ ଥାଏ ସେହି ସ୍ଥାନରେ ଏହିପରି ହୋଇଥାଏ ଯାହା ଫଳରେ ଆମକୁ ଏଠାରେ ଜଳତରଙ୍ଗ ନଥିଲା ପରି ଦେଖାଯାଇଥାଏ, ଯେପରି ଏଠାରେ କିଛି ସୃଷ୍ଟି ହୋଇନି ସେପରି ଲାଗେ |

ଏହି ସମସ୍ତ ଘଟଣାକୁ ଅଧ୍ୟାରୋପଣ ସିଦ୍ଧାନ୍ତ (Superposition Principle) କୁହାଯାଏ | ୟଙ୍ଗ ଏହାକୁ ବ୍ୟବହାର କରି ନିଜର ପରୀକ୍ଷଣକୁ ବୁଝାଇଥିଲେ | ଆଲୋକ ଏକ ତରଙ୍ଗ ଏବଂ ତାହା ସହିତ ମଧ୍ୟ ଏପରି ହୋଇଥାଏ | ତାଙ୍କ ପରୀକ୍ଷଣ କିପରି ହୋଇଥିଲା ଜାଣିବା |

ଆଲୋକର ବ୍ୟତିକରଣ ଦ୍ୱାରା ଜାତ ହୋଇଥିବା ଡିଜାଇନ pattern produced by interference of light

ଗୋଟିଏ ଆଲୋକର ଉତ୍ସ ସାମ୍ନାରେ ସେ ଏକ ପରଦା ରଖିଲେ ଯେଉଁଥିରେ ସେ ଦୁଇଟି ଅତ୍ୟନ୍ତ ପତଳା ଫାଟ ଶୃଷ୍ଟି କରିଥିଲେ ଯେପରି ସେହି ଦୁଇଟି ପତଳା ଫାଟ ଦେଇ ଆଲୋକ ଯାଇପାରିବ | ସେ ଅନ୍ୟ ଏକ ପରଦା କିଛି ଦୂରରେ ରଖିଲେ | ସେ ଏହି ପରଦା ଉପରେ ଏକ ସୁନ୍ଦର ଡିଜାଇନ୍ ଦେଖିଲେ | କିଛି ସ୍ଥାନରେ ଆଲୋକର ତୀବ୍ରତା (Intensity) ଅଧିକ ଥିଲା ବେଳେ କିଛି ସ୍ଥାନରେ କମ | ଯେଉଁ ସ୍ଥାନରେ ଆଲୋକର ତୀବ୍ରତା ଅଧିକ ଥିଲା ସେଇ ସ୍ଥାନରେ ଗଠନମୂଳକ ବ୍ୟତିକରଣ ହୋଇଥିଲା ଏବଂ ଯେଉଁ ସ୍ଥାନରେ ଆଲୋକର ତୀବ୍ରତା କମ ଥିଲା ସେଇ ସ୍ଥାନରେ ଧ୍ଵଂସାତ୍ମକ ବ୍ୟତିକରଣ ହୋଇଥିଲା | ଏଠାରୁ ସେ ସମ୍ପୂର୍ଣ ଭାବେ ପ୍ରମାଣ ଦେଲେ କି ଆଲୋକ ହେଉଛି ଏକ ତରଙ୍ଗ କାରଣ କୌଣସି ତରଙ୍ଗ ଦ୍ୱାରା ହିଁ ଏହିପରି ଘଟଣା ସମ୍ଭବ |

ଉକ୍ତ ପରୀକ୍ଷଣ ରେ ଆଲୋକର ତରଙ୍ଗୀୟ ବ୍ୟବହାର ପ୍ରମାଣିତ ହେଲା |

ଆଲବର୍ଟ ଆଇନଷ୍ଟାଇନ (Albert Einstein) ଙ୍କ ଆଲୋକ-ବିଦ୍ୟୁତ୍ ପ୍ରଭାବ (Photoelectric Effect) ପରୀକ୍ଷଣ :-


1905 ମସିହା ରେ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ (Albert Einstein) ଏହି ପରୀକ୍ଷଣ କରିଥିଲେ | ଏଥିରେ ସେ ଆଲୋକର କାଣିକୀୟ ପ୍ରକୃତି ଦ୍ୱାରା ଏହାକୁ ବୁଝାଇଥିଲେ | ସେ ଦର୍ଶାଇଥିଲେ କି ଆଲୋକ ହେଉଛି ଛୋଟ ଛୋଟ କ୍ୱାଣ୍ଟା (quanta - କ୍ୱାଣ୍ଟମ୍ ମେକାନିକ୍ସ ଅନୁଯାୟୀ କ୍ୱାଣ୍ଟା ହେଉଛି ଯେକୌଣସି ଭୌତିକ ବସ୍ତୁର ସର୍ବନିମ୍ନ ପରିମାଣ | ଏଠାରେ ଭୌତିକ ବସ୍ତୁ ହେଉଛି ଶକ୍ତି | ଆମେ କ୍ୱାଣ୍ଟାକୁ ଏକ ଛୋଟ ଥଳି ଭାବରେ ଚିନ୍ତା କରିପାରିବା) ର ସଂଗଠନ (ଏହା ଏକ ପ୍ରକାର କଣିକା) | ଏହି କ୍ୱାଣ୍ଟାକୁ ସେ ଫୋଟୋନ (photon) ନାମ ଦେଲେ | କୌଣସି ଧାତବୀୟ ପଦାର୍ଥ ରେ ମୁକ୍ତ ଇଲେକ୍ଟ୍ରୋନ ଥାନ୍ତି | ଆମେ ଏହାର ବାହ୍ୟ ଆବରଣରେ ଆଲୋକ ପକାଇଲେ ଏଥିରେ ଥିବା ଇଲେକ୍ଟ୍ରୋନ ଶକ୍ତି ଗ୍ରହଣ କରନ୍ତି | କିଛି ନିର୍ଦ୍ଦିଷ୍ଟ ପରିମାଣର ଶକ୍ତି ଗ୍ରହଣ କଲା ପରେ ଇଲେକ୍ଟ୍ରୋନ ପାଖେ ଯଥେଷ୍ଟ ପରିମାଣର ଶକ୍ତି ହୋଇଯାଇଥାଏ ଯାହା ଦ୍ୱାରା ତାହା ଧାତୁରୁ ବାହାରିଯାଇଥାଏ ଏବଂ ବୈଦୁତିକ ଶକ୍ତି ଉତ୍ପାଦନରେ ସହାୟକ ହୁଏ | ସୌର ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନରେ ଏହି ସିଦ୍ଧାନ୍ତ ବ୍ୟବହାର ହୁଏ |

ଆଲୋକ-ବିଦ୍ୟୁତ୍ ପ୍ରଭାବ ପରୀକ୍ଷଣ Photoelectric effect experiment

ଏହି ପରୀକ୍ଷଣର କିଛି ବୈଶିଷ୍ଠ୍ୟ ହେଲା-

(i) ଯଦି ଆମେ ଆଲୋକର ଆବୃତ୍ତିକୁ (Frequency) କୁ ସ୍ଥିର ରଖି ଏହାର ତୀବ୍ରତାକୁ ବଢାଇବା ତେବେ ଇଲେକ୍ଟ୍ରୋନ ନିର୍ଗମନର ପରିମାଣରେ କୌଣସି ପରିବର୍ତ୍ତନ ହୁଏ ନାହିଁ |

ତୀବ୍ରତା = ଆଲୋକ କେତେ ପରିମାଣରେ ବସ୍ତୁ ଉପରେ ପଡୁଛି ତାହାକୁ ଦର୍ଶାଏ (କେତେ ସଂଖ୍ୟକ ଫୋଟୋନ ବସ୍ତୁ ଉପରେ ପଡୁଛି)

(ii) ଏକ ସର୍ବନିମ୍ନ ଆବୃତ୍ତିର ଆଲୋକ ବିଦ୍ୟମାନ କରେ ଯାହାଠୁ କମ ଆବୃତ୍ତିର ଆଲୋକ ବ୍ୟବହାର କଲେ ଇଲେକ୍ଟ୍ରୋନ ନିର୍ଗତ ହୋଇନଥାଏ |

(iii) ଏହି ଇଲେକ୍ଟ୍ରୋନ ନିର୍ଗମନ ପ୍ରକ୍ରିୟା ଆଲୋକ ପଡିବା ମାତ୍ରେ ତୁରନ୍ତ ହୋଇଥାଏ |

ତେବେ ଏହା ଆଲୋକ ର ତରଙ୍ଗ ପ୍ରକୃତି କୁ କିପରି ବିରୋଧ କଲା ?

ତରଙ୍ଗର ସିଦ୍ଧାନ୍ତ ଅନୁସାରେ କୌଣସି ଆଲୋକର ପ୍ରଖରତା ଯେତେ ଅଧିକ ଥାଏ ତାହା ଦ୍ୱାରା ଯେଉଁ ଇଲେକ୍ଟ୍ରୋନ ଶକ୍ତି ଗ୍ରହଣ କରନ୍ତି ତାହା ସେତେ ଅଧିକ ହୋଇଥାଏ | ତେଣୁ ଇଲେକ୍ଟ୍ରୋନ ଯେତେ ବେଶୀ ଶକ୍ତି ଗ୍ରହଣ କରିବ ସେତେ ବେଶୀ ପରିମାଣରେ ନିର୍ଗତ ହେବା କଥା ଏବଂ କୌଣସି ଆବୃତ୍ତିର ଅଧିକ ତୀବ୍ରତାର ଆଲୋକ ଏହା କରିପାରିବା କଥା, କିନ୍ତୁ ଏପରି ହୋଇନଥାଏ | ଆଲୋକ ଯେତେ ତୀବ୍ରତାର ହେଉ ନା କାହିଁକି ଯେପର୍ଯ୍ୟନ୍ତ ସର୍ବନିମ୍ନ ଆବୃତ୍ତିର ନ ହୋଇଛି ସେ ପର୍ଯ୍ୟନ୍ତ ଇଲେକ୍ଟ୍ରୋନ ନିର୍ଗତ ହୋଇନଥାଏ | ତେଣୁ ତରଙ୍ଗ ସିଦ୍ଧାନ୍ତ ଏହାକୁ ବୁଝାଇପାରିନଥାଏ |

ଯେତେବେଳେ ଆଲୋକ ଧାତୁର ଆବରଣରେ ପଡିଥାଏ ସେତେବେଳେ ପ୍ରତି ଇଲେକ୍ଟ୍ରୋନ ପ୍ରତି ଆଲୋକର ପରିମାଣ କମ ଥାଏ କାରଣ ଧାତୁର ପୃଷ୍ଠରେ ଅନେକ ଇଲେକ୍ଟ୍ରୋନ ଥାନ୍ତି | ତେବେ କମ ପରିମାଣ ର ଆଲୋକ ପଡିବା କାରଣରୁ ଏହାକୁ ଶକ୍ତି ଗ୍ରହଣ କରିବାକୁ ସମୟ ଲାଗିଥାଏ | ତେବେ ଇଲେକ୍ଟ୍ରୋନ ନିର୍ଗତ ହେବାକୁ ବହୁତ ସମୟ ଲାଗିବା କଥା | କିନ୍ତୁ ଏପରି ହୋଇନଥାଏ ,ଇଲେକ୍ଟ୍ରୋନ ତୁରନ୍ତ ନିର୍ଗତ ହୋଇଥାଏ | ତେବେ ଆଲୋକକୁ କଣିକା ମାନିଲେ ଏହି ଯୁକ୍ତି ର ବ୍ୟାଖ୍ୟା ସମ୍ଭବ | ଆଲୋକ ଫୋଟୋନ ନାମକ କଣିକାର ସଂଗଠନ | ପ୍ରତି ଇଲେକ୍ଟ୍ରୋନ ଗୋଟିଏ ଫୋଟୋନ ଗ୍ରହଣ କରେ | ଯଦି ଫୋଟୋନର ଶକ୍ତି ଯଥେଷ୍ଟ ଥାଏ ତେବେ ଇଲେକ୍ଟ୍ରୋନ ସେହି ଫୋଟୋନକୁ ଗ୍ରହଣ କରି ଧାତୁରୁ ନିର୍ଗତ ହୋଇଥାଏ | ଏହି ଫୋଟୋନର ଶକ୍ତି ଆଲୋକର ଆବୃତି ଉପରେ ନିର୍ଭର କରେ |

ତେଣୁ ଉକ୍ତ ପରୀକ୍ଷଣରେ ଆଲୋକ କଣିକା ପରି ବ୍ୟବହାର ଦେଖାଇଥାଏ ବୋଲି ପ୍ରମାଣିତ ହେଲା |

ଯେହେତୁ ଆଲୋକ ଉଭୟ କଣିକା ଏବଂ ତରଙ୍ଗ ପରି ବ୍ୟବହାର ଦେଖାଏ, ବିଶ୍ୱର ବୈଜ୍ଞାନିକଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହେଲା | ତେବେ ୧୯୨୪ ମସିହାରେ ଜଣେ ପଦାର୍ଥ ବିଜ୍ଞାନୀ ଡ଼ି ବ୍ରୟ (De Broglie) ଏକ ବହୁତ ଗୁରୁତ୍ୱପୂର୍ଣ ସିଦ୍ଧାନ୍ତ ଦେଇଥିଲେ ଯଦ୍ୱାରା ଏହି ତର୍କର ଅବସାନ ଘଟିଲା | ସେ ନିଜର ସିଦ୍ଧାନ୍ତ ‘ଆଲୋକର ଦ୍ବୈତ ପ୍ରକୃତି (Dual Nature of Light)’ ଦ୍ୱାରା ଦର୍ଶାଇଥିଲେ କି ଆଲୋକ ହେଉଛି ଉଭୟ କଣିକା ଏବଂ ତରଙ୍ଗ | ସେ ଏକ ସମୀକରଣ ମାଧ୍ୟମ ରେ ଏହି ଦୁଇଟି ଗୁଣ ପରସ୍ପର ସହ କିପରି ସମ୍ବନ୍ଧୀୟ ତାହାକୁ ପ୍ରମାଣ କରି ଦେଖାଇଥିଲେ | ଆଜି ପର୍ଯ୍ୟନ୍ତ ଏହି ସିଦ୍ଧାନ୍ତ କୁ ବିଶ୍ୱର ସମସ୍ତ ବୈଜ୍ଞାନିକ ମାନ୍ୟ କରିଛନ୍ତି |

ଶ୍ରେୟାନିଲ ଭୂୟାଁ, IIT, Kanpur

 
 
 

1 Comment


ଶ୍ରେୟାନିଲ ଖୁବ୍ ଚମତ୍କାର ଲେଖିଛୁ... ଓଡ଼ିଆ ପିଲାଙ୍କ ପାଇଁ ପଥ ପ୍ରଦର୍ଶକ. ଲେଖା ଜାରି ରହୁ 👍

Like

Subscribe Form

Thanks for submitting!

+91 9437942080

  • Facebook
  • Instagram

©2020 by Vigyana Parichaya. Proudly created with Wix.com

bottom of page