top of page
Search

ଆମେ ପ୍ରତିଦିନ ଚନ୍ଦ୍ରର ସମାନ ଚେହେରା କାହିଁକି ଦେଖୁ? (WHY DO WE SEE SAME FACE OF THE MOON EVERYDAY?)


ରାତ୍ରିର ତିମିରକୁ ସଂହାର କରୁଥିବା ଚନ୍ଦ୍ରମାଟି ସୁନ୍ଦର ନୁହେଁ କି? ଆଜି ରାତିରେ ଏକ ବାଇନୋକୁଲାର (binocular) କିମ୍ବା ଏକ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଚନ୍ଦ୍ର କୁ ଦେଖିଲେ ଆପଣ ଏହା ଶରୀରରେ ଥିବା ବିରାଟ ଗର୍ତ୍ତ ଏବଂ ପ୍ରାଚୀନ ଲାଭା-ସମତଳ (ଜ୍ୱାଳାମୁଖୀରୁ ନିର୍ଗତ ଗରମ ତରଳ ପଦାର୍ଥ ଦ୍ୱାରା ଉତ୍ପନ୍ନ ହୋଇଥିବା ସମତଳ) ଗୁଡିକୁ ଭଲ ଭାବେ ଦେଖିବାରେ ସକ୍ଷମ ହେବେ | ଆସନ୍ତାକାଲି ପୁନର୍ବାର ଚନ୍ଦ୍ରକୁ ଦେଖନ୍ତୁ ଏବଂ ଆପଣ ତାର ଅବିକଳ ସମାନ ଚିତ୍ର ଦେଖିବାକୁ ପାଇବେ | ଆପଣ କେବେ ଭାବିଛନ୍ତି କାହିଁକି ଆମର ଚନ୍ଦ୍ର ଆମକୁ କେବଳ ଗୋଟିଏ ଚେହେରା ଦେଖାଏ? ସେ ଆମକୁ ତାର “ଅନ୍ଧାର ପାର୍ଶ୍ୱ” ଦେଖାଇବାକୁ ଲାଜ କରେ କି? ଏକ ପ୍ରକାରରେ ହଁ |

ଏଥିପାଇଁ ଦାୟୀ ଘଟଣାକୁ ଜୁଆରୀୟ ଅଭିଵନ୍ଧନ (tidal locking) କୁହାଯାଏ | ଯେତେବେଳେ ଏକ ମହାକାଶୀୟ ବସ୍ତୁର ପରିକ୍ରମଣ ଅବଧି (revolution period) ଏବଂ ତାର ଘୂର୍ଣ୍ଣନ ଅବଧି (rotation period) ର ଅନୁପାତ ସ୍ଥିର ହୋଇଯାଏ ସେତେବେଳେ ଜୁଆରୀୟ ଅଭିଵନ୍ଧନ ଘଟିଥାଏ | ଅଧିକାଂଶ କ୍ଷେତ୍ରରେ ଏହି ଅନୁପାତ 1 ହୋଇଥାଏ ଯାହାକୁ ସମକାଳିକ ଘୂର୍ଣ୍ଣନ (Synchronous Rotation) କୁହାଯାଏ | ସରଳ ଶବ୍ଦରେ, ଯଦି ବସ୍ତୁଟି ସୂର୍ଯ୍ୟ ଚାରିପାଖେ ଘୁରୁଥାଏ, ତେବେ ଏହି ମହାକାଶୀୟ ବସ୍ତୁରେ 1 ଦିନ 1 ବର୍ଷ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ | ଯଦି ଆପଣ ଜୁଆରୀୟ ଅଭିଵନ୍ଧନ ଅନୁଭବ କରୁଥିବା ସମୂହ ବିଷୟରେ ଚିନ୍ତା କରୁଛନ୍ତି, ଯାହା ସମକାଳୀନ ଭାବରେ ଘୂର୍ଣ୍ଣନ କରୁନାହିଁ, ତେବେ ଚାଲନ୍ତୁ ଆପଣଙ୍କୁ ମୁଁ ବୁଧ ଗ୍ରହ ସହିତ ପରିଚିତ କରାଇବି | ବୁଧ ଗ୍ରହ 3: 2 ଅନୁପାତରେ ସୂର୍ଯ୍ୟ ସହିତ ଜୁଆରୀୟ ଅଭିଵନ୍ଧନରେ ଅଛି |


ବୈଜ୍ଞାନିକ ଦୃଷ୍ଟିରୁ, ଜୁଆରୀୟ ଅଭିଵନ୍ଧନ କ’ଣ? ଏହା ଜୁଆରୀୟ ଶକ୍ତି (tidal force) ଦ୍ୱାରା ସୃଷ୍ଟି ହୋଇଥିବା ଏକ ବିଶେଷ ଅବସ୍ଥା ଯାହା ଦ୍ୱାରା ଗ୍ରହମାନେ ସମାନ ସମୟ ଅବଧି ସହିତ ପରିକ୍ରମଣ ଏବଂ ଘୂର୍ଣ୍ଣନ କରନ୍ତି | ତେବେ ଜୁଆରୀୟ ଶକ୍ତି କ’ଣ? ଆପଣ ବୋଧହୁଏ ଏହା ଅନୁମାନ ଲଗାଇ ସାରିଥିବେ ଯେ ଏହା ହେଉଛି ସେହି ଶକ୍ତି ଯାହା ପୃଥିବୀ ରେ ଜୁଆର ଆଣିଥାଏ, ତେବେ ଚାଲନ୍ତୁ ଏହାକୁ ବିସ୍ତୃତ ଭାବେ ବୁଝିବା | ଜୁଆରୀୟ ଶକ୍ତି ହେଉଛି ମାଧ୍ୟାକର୍ଷଣ ଶକ୍ତିର ଏକ ଉତ୍ପତ୍ତି | ମାଧ୍ୟାକର୍ଷଣ ଶକ୍ତି ଚାରୋଟି ମୌଳିକ ଶକ୍ତି ମଧ୍ୟରୁ ଦୁର୍ବଳ ତଥାପି ବ୍ରହ୍ମାଣ୍ଡର ସବୁଠାରୁ ପ୍ରାଧାନ୍ୟ ଶକ୍ତି |

ପ୍ରତିଦିନ ଆମେ ଦୁଇଟି ଜୁଆର ଏବଂ ଦୁଇଟି ଭଟ୍ଟା ଦେଖୁ | ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ମନେହୁଏ | କିନ୍ତୁ ଏହି ଭିଡିଓ ଦେଖି ଏହାକୁ ସ୍ପଷ୍ଟ ଭାବରେ ବୁଝିହେବ | କାର୍ଯ୍ୟ କରୁଥିବା ପ୍ରଥମ ଶକ୍ତି ହେଉଛି ପୃଥିବୀର ମହାସାଗରରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଯାହା ସ୍ଫୀତି ସୃଷ୍ଟି କରିଥାଏ | ଦୁଇଟି ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣର ଅର୍ଥ ହେଉଛି ଦୁଇଟି ବସ୍ତୁ କ୍ରମାଗତ ଭାବରେ ପରସ୍ପର ଆଡକୁ ଆସୁଅଛନ୍ତି କିନ୍ତୁ ଯେତେବେଳେ ଗୋଟିଏ ବସ୍ତୁ ଆର ବସ୍ତୁର କେନ୍ଦ୍ର ଆଡକୁ କିଛି ରାସ୍ତା ମାଡି ଆସେ (ଏହାକୁ ଆଲମ୍ବ ଦିଗ ମନେ କରିବା), ସେତେବେଳେ ଏହା ନିଜ ବେଗ ହେତୁ ଆନୁଭୂମିକ ଦିଗରେ ମଧ୍ୟ କିଛି ଦୂର ମାଡି ଯାଏ | ଏପରି ବାରମ୍ବାର ହେବା ଯୋଗୁ, ଆମକୁ ଏହା ତା ସାଥି ଚାରିପାଖରେ ପରିକ୍ରମଣ କରୁଥିବାର ବୋଧ ହୁଏ | ବର୍ତ୍ତମାନ ଚନ୍ଦ୍ର ସମୁଦ୍ରକୁ ଆକର୍ଷିତ କରିବା ବ୍ୟତୀତ ପୃଥିବୀର କେନ୍ଦ୍ରକୁ ମଧ୍ୟ ଆକର୍ଷିତ କରିଥାଏ | ତେଣୁ ପୃଥିବୀ ଚନ୍ଦ୍ରର ନିକଟତର ହୁଏ ଏବଂ ପୃଥିବୀର ଅପର ପାର୍ଶ୍ୱରେ ମଧ୍ୟ ଜୁଆର ସୃଷ୍ଟି ହୁଏ | ଯେତେବେଳେ ଆମେ ଦୁଇଟି ଜୁଆର (high tide) ପାଇଥାଉ, ଜଳର କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ସ୍ୱୟଂଚାଳିତ ଭାବରେ ଦୁଇଟି ଭଟ୍ଟା (low tide) ସୃଷ୍ଟି ହୋଇଯାଏ |

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଚନ୍ଦ୍ର ଆଜି ପରି ଏକ ଭିନ୍ନ ସମୟ ଅବଧି ସହିତ ଘୂର୍ଣ୍ଣନ କରୁଥିଲା | ଜୁଆରୀୟ ଶକ୍ତିର କ୍ରିୟାବିଧିର କିଛି ପଦକ୍ଷେପରେ ଆସନ୍ତୁ ବୁଝିବା କିପରି ଆଜି ଚନ୍ଦ୍ର ଏହି ସ୍ଥିତିରେ ପହଁଚିଲା |


1. ମାଧ୍ୟାକର୍ଷଣ ଶକ୍ତିର ପ୍ରଚଣ୍ଡ ପ୍ରଭାବ

ଏକ ମହାକାଶୀୟ ବସ୍ତୁ (ପୃଥିବୀ) ର ମାଧ୍ୟାକର୍ଷଣ ଶକ୍ତି ହେତୁ ଏହାର ସାଥୀ (ଚନ୍ଦ୍ର) ର ନିକଟତମ ପାର୍ଶ୍ୱଟି ସ୍ଫୀତ ହୋଇଯାଏ | କଳ୍ପନା କରିବା କଷ୍ଟକର ହେଉଛି କି? ଚନ୍ଦ୍ର ଏହାର ଛୋଟ ଆକାର ସତ୍ତ୍ୱେ ପୃଥିବୀ ପୃଷ୍ଠରେ ପ୍ରାୟ 30 ସେ.ମି. ର ସ୍ଫୀତି ଘଟାଇଥାଏ | ହଁ, ପ୍ରାୟ ଏକ ଫୁଟ | ଏହି ସ୍ଫୀତି ହିଁ ଜୁଆରର କାରଣ | ପୃଥିବୀ ର ସମୁଦ୍ର ତରଳ ଜଳ ଧାରଣ କରିଥିବାରୁ, ସମୁଦ୍ର, ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ହେତୁ ସ୍ଫୀତ ହୋଇଯାଏ (ଚନ୍ଦ୍ର ଆଡକୁ ଟାଣି ହୋଇଯାଏ) | ଏହା ପରଠାରୁ ଆସନ୍ତୁ ଏହି ସ୍ଫୀତିକୁ ଜୁଆର ସ୍ଫୀତି ବୋଲି କହିବା | ଆପଣ ନିଜେ ଦେଖିବାକୁ ଚାହୁଁଛନ୍ତି କି? ନିଜ ଶୁଖିଲା କେଶରେ ପାନିଆକୁ ଘଷନ୍ତୁ | ଏହାକୁ ଏକ ଜଳ ବୋହୁଥିବା ନଳ ନିକଟକୁ ଆଣନ୍ତୁ | ଆପଣ ଦେଖିବେ ଯେ ଜଳ ଧାରଟି ପାନିଆ ନିକଟକୁ ବଙ୍କେଇଯିବ | ବର୍ତ୍ତମାନ ଆପଣ ପାନିଆକୁ ଜଳ ଧାର ଚାରିପାଖେ ଘୁରାନ୍ତୁ | ବଙ୍କେଇଯାଇଥିବା ଧାରାଟି ମଧ୍ୟ ପାନିଆ ସହିତ ଘୂର୍ଣ୍ଣନ କରିବ |


2. ମହାକାଶୀୟ ବସ୍ତୁ ତିଆରି ହୋଇଥିବା ପଦାର୍ଥ ଦ୍ୱାରା ଦିଆଯାଇଥିବା ପ୍ରତିରୋଧ

ଏହି ସ୍ଫୀତି ବର୍ତ୍ତମାନ ପୃଥିବୀର ପୃଷ୍ଠରେ ଥାଇ ଏହାର ଘୂର୍ଣ୍ଣନ ସହିତ ସମକାଳିକ ଭାବେ ଘୁରିବ | ଠିକ? ବାସ୍ତବରେ ନା। ତାହା ନୁହେଁ | ଯେକୌଣସି କଠିନ ବସ୍ତୁ ପରି ମହାକାଶୀୟ ବସ୍ତୁ (ପୃଥିବୀ) ତା ସହିତ ହେଉଥିବା ଏହି ପରିବର୍ତ୍ତନକୁ ପ୍ରତିରୋଧ କରିଥାଏ | ତେଣୁ, ସ୍ଫୀତି ଉପରକୁ ଯାଏ ନାହିଁ କିମ୍ବା ତତକ୍ଷଣାତ୍ ତଳକୁ ମଧ୍ୟ ଆସେ ନାହିଁ | ବାସ୍ତବରେ, ଯଦି ମହାକାଶୀୟ ବସ୍ତୁର ଘୂର୍ଣ୍ଣନ ଅବଧି ଏହାର ପରିକ୍ରମଣ ଅବଧିଠାରୁ କମ୍, ସ୍ଫୀତି ଘୂର୍ଣ୍ଣନ ଦିଗରେ ସାଥୀ ମହାକାଶୀୟ ବସ୍ତୁ ସହିତ ଅଗ୍ରସର କରିବ, ଯଦି ମହାକାଶୀୟ ବସ୍ତୁର ଘୂର୍ଣ୍ଣନ ଅବଧି ଲମ୍ବା ହୁଏ, ତେବେ ସ୍ଫୀତି ପଛକୁ ରହିଯିବ |


3. ଜୁଆରୀୟ ଶକ୍ତି ସୃଷ୍ଟି ହେଲା

ଯେହେତୁ ସ୍ଫୀତି ବର୍ତ୍ତମାନ ଦୁଇଟି ବସ୍ତୁର କେନ୍ଦ୍ରକୁ ଯୋଡ଼ୁଥିବା ରେଖା ଉପରେ ନାହିଁ, ସାଥୀ ମହାକାଶୀୟ ବସ୍ତୁ (ପୃଥିବୀ) ର ମାଧ୍ୟାକର୍ଷଣ ଶକ୍ତି ବର୍ତ୍ତମାନ ମହାକାଶୀୟ ବସ୍ତୁ (ଚନ୍ଦ୍ର) ଉପରେ ଏକ ଟର୍କ (torque- ବସ୍ତୁର ମୋଡିବା ବା ଘୁରାଇବାର ଶକ୍ତି) ସୃଷ୍ଟି କରେ ଯାହା ମହାକାଶୀୟ ବସ୍ତୁର ଘୂର୍ଣ୍ଣନକୁ ଏହାର ପରିକ୍ରମଣ ଅବଧି ସହିତ ସମକାଳିକ କରିଦିଏ ଏବଂ ଜୁଆରୀୟ ଶକ୍ତିର ଶୃଷ୍ଟି ହୁଏ |

ବାମନ ଗ୍ରହ ପ୍ଲୁଟୋ (Pluto) ଏବଂ ଏହାର ଉପଗ୍ରହ ଚାରୋନ (Charon) ର ଏକ ଉଦାହରଣ ନେବା | ପୃଥିବୀ-ଚନ୍ଦ୍ର ପ୍ରଣାଳୀରେ କେବଳ ଚନ୍ଦ୍ର ଜୁଆରୀୟ ଅଭିଵନ୍ଧନରେ ରହିଅଛି | କିନ୍ତୁ ପ୍ଲୁଟୋ-ଚାରୋନ ପ୍ରଣାଳୀ କ୍ଷେତ୍ରରେ ଉଭୟେ ଜୁଆରୀୟ ଅଭିଵନ୍ଧନରେ ରହିଅଛନ୍ତି | ଅର୍ଥାତ ପ୍ଲୁଟୋରେ ଥିବା ଜଣେ ପର୍ଯ୍ୟବେକ୍ଷକ ଚାରୋନର ସମାନ ପାର୍ଶ୍ୱକୁ ଦେଖିବେ (କିମ୍ବା କଦାପି ଚାରୋନକୁ ଦେଖିପାରିବେ ନାହିଁ) | ସେହିପରି ଚାରୋନରେ ଥିବା ଜଣେ ପର୍ଯ୍ୟବେକ୍ଷକ ପ୍ଲୁଟୋର ସମାନ ପାର୍ଶ୍ୱକୁ ଦେଖିବେ (କିମ୍ବା କଦାପି ପ୍ଲୁଟୋକୁ ଦେଖିପାରିବେ ନାହିଁ) | ସମାନ ଘଟଣା ଶେଷରେ ପୃଥିବୀ ସହିତ ଘଟିବ | ଯେତେବେଳେ କେବଳ ଏକ ନିର୍ଦ୍ଦିଷ୍ଟ ଜନସଂଖ୍ୟା ଚନ୍ଦ୍ର ଦେଖିବାରେ ସକ୍ଷମ ହେବେ | କିନ୍ତୁ ଏଥିପାଇଁ କୋଟି କୋଟି ବର୍ଷ ଲାଗିବ ଏବଂ ସେତେବେଳକୁ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ରକୁ ଆବଦ୍ଧ କରିସାରିଥିବ | ତେଣୁ ଦୁର୍ଭାଗ୍ୟବଶତଃ କିମ୍ବା ସୌଭାଗ୍ୟବଶତଃ ଆମେ ତାହା ଦେଖିବାକୁ ସମର୍ଥ ହେବୁ ନାହିଁ |


ସେପର୍ଯ୍ୟନ୍ତ ଚନ୍ଦ୍ରର ସୌନ୍ଦର୍ୟ୍ଯ ଉପଭୋଗ କରନ୍ତୁ!


ସୂର୍ଯ୍ୟ ପ୍ରକାଶ ମିଶ୍ର, IIT (ISM), Dhanbad

ଏବଂ ବର୍ଣ୍ଣାଳୀ ଦାସ, IISER, Kolkata

 
 
 

Comments


Subscribe Form

Thanks for submitting!

+91 9437942080

  • Facebook
  • Instagram

©2020 by Vigyana Parichaya. Proudly created with Wix.com

bottom of page