top of page
Search

ଆମେ ଘୁଙ୍ଗୁଡ଼ି କାହିଁକି ମାରୁ ? (WHY DO WE SNORE?)


ଆପଣମାନେ ବହୁତ ଲୋକଙ୍କୁ ଘୁଙ୍ଗୁଡ଼ି ମାରୁଥିବାର ଦେଖିଥିବେ | ତେବେ ଆସନ୍ତୁ ଜାଣିବା ଘୁଙ୍ଗୁଡ଼ି କାହିଁକି ଓ କିପରି ଆସେ ? ଦେଖିବାକୁ ଗଲେ ଘୁଙ୍ଗୁଡ଼ି ଏକ ସାଧାରଣ କଥା ମାତ୍ର ଏହାକୁ ଅଣଦେଖା କରିବା ଉଚିତ ନୁହେଁ | କାରଣ ଏହା ଏକ ବଡ଼ ରୋଗର କାରଣ ମଧ୍ୟ ହୋଇପାରେ | ଅଧିକାଂଶ ସମୟରେ ଦେଖାଯାଏ ଯେ ଅଧିକ ପରିଶ୍ରମ କରି ଆସିଥିବା ବ୍ୟକ୍ତି ବା ଥକି ଯାଇଥିବା ବ୍ୟକ୍ତି ଅଧିକ ଘୁଙ୍ଗୁଡ଼ି ମାରିଥାନ୍ତି | କିନ୍ତୁ ସମସ୍ତେ ଘୁଙ୍ଗୁଡ଼ି ମାରିନଥାନ୍ତି | ଅଧିକାଂଶ ସମୟରେ, ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତିକୁ ଘୁଙ୍ଗୁଡ଼ିର ଶବ୍ଦ ଜଣା ପଡ଼ିନଥାଏ | କିଏ ଜୋର ଘୁଙ୍ଗୁଡ଼ି ମାରିଥାଏ ତ କିଏ କମ ଘୁଙ୍ଗୁଡ଼ି ମାରିଥାଏ |


ଘୁଙ୍ଗୁଡ଼ି ପ୍ରାୟତଃ ଚାରି ପ୍ରକାରର ହୋଇଥାଏ ଯାହା ନାକ, ପାଟି, ଜିଭ ଓ ଗଳାରୁ ଜାତ ହୋଇଥାଏ | ଆଲର୍ଜି, ମାଂସ ବୃଦ୍ଧି, ଥଣ୍ଡା ଇତ୍ୟାଦି କାରଣରୁ ଯଦି ନାକ ଆଂଶିକ ଭାବରେ ବନ୍ଦ ହୋଇଯାଏ ସେତେବେଳେ ଘୁଙ୍ଗୁଡ଼ି ଶବ୍ଦ ଶୁଭିଥାଏ | ଯେତେବେଳେ ନାକ ପୁରା ବନ୍ଦ ହୋଇଯାଏ ଓ ପାଟି ଵାଟ ଦେଇ ନିଶ୍ୱାସ ନେବାକୁ ପଡିଥାଏ, ସେତେବେଳେ ପାଟି ଭିତରେ ଥିବା ନରମ ମାଂସଗୁଡିକରେ କମ୍ପନ ସୃଷ୍ଟି ହୋଇ ଘୁଙ୍ଗୁଡ଼ି ଶୁଭିଥାଏ | ପାଟିରେ ଥିବା ଘଣ୍ଟିକା (Tonsil) ବଡ଼ ହୋଇଗଲେ ମଧ୍ୟ ଏହା ଘଟିଥାଏ | ଶୋଇବା ବେଳେ ଜିଭର ପଛଭାଗ ତଳକୁ ଖସିଆସେ | ମାତ୍ର ଏହା ଅଧିକ ଖସିଆସିଲେ ଶ୍ୱାସନଳୀ ଉପରେ ଚାପ ପକାଏ ଓ ଶ୍ୱାସନଳୀ ପତଳା ହୋଇଯାଏ ଯାହା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା ହୁଏ | ଶ୍ୱାସନଳୀ ପତଳା ହୋଇଗଲେ ବାୟୁ ଏହି ବାଟ ଦେଇ ଯିବା ଆସିବା ସମୟରେ ଅଧିଜିହ୍ୱା (uvula) ସହ ଘର୍ଷଣ ହୋଇ ଏକ କମ୍ପନ ସୃଷ୍ଟି ହୁଏ | ଯାହାକୁ ଆମେ ଜିଭ ଦ୍ୱାରା ଘଟିଥିବା ଘୁଙ୍ଗୁଡ଼ି କହୁ | ଶୋଇଲା ବେଳେ ଯଦି କୌଣସି ମାଂସପେଶୀ ତଳକୁ ଖସିଆସି ନିଶ୍ୱାସ ପ୍ରଶ୍ୱାସରେ ବାଧା ଦିଏ ଓ ଘୁଙ୍ଗୁଡ଼ି ମାରୁ ମାରୁ ଶ୍ୱାସକ୍ରିୟାରେ କଷ୍ଟ ହୁଏ ତେବେ ଜଣାଯାଏ ଯେ ଏହା ଗମ୍ଭୀର ସମସ୍ୟା ଆଡ଼କୁ ଗତି କରୁଛି |


CONDITION DURING SLEEP APNEA

ତେଣୁ ଘୁଙ୍ଗୁଡ଼ିକୁ ସାମାନ୍ୟ ନ ଭାବି ଏହାର ଠିକ ଉପଚାର କରିବା ଉଚିତ | ଆମ ଶରୀରକୁ ପ୍ରତ୍ୟେକ ସମୟରେ ଅମ୍ଳଜାନ ଆବଶ୍ୟକ ହୋଇଥାଏ | ଶ୍ୱାସନଳୀ ପତଳା ହୋଇଗଲେ ବାୟୁ ଭିତରକୁ ଯିବାରେ ବାଧା ସୃଷ୍ଟି ହୁଏ | ଯାହା ଫଳରେ ଶରୀର ଭିତରେ ଅମ୍ଳଜାନ ମାତ୍ର କମି ଅଙ୍ଗାରକାମ୍ଳ ମାତ୍ର ବଢ଼ିଯାଏ | ଏହାର ପ୍ରଭାବ ଅଧିକ ହେଲେ ‘ସ୍ଲୀପ ଏପ୍ନିୟା’ (Sleep Apnea) ହୋଇଥାଏ | ଯାହା ହୃତ୍-ପିଣ୍ଡ, ମସ୍ତିଷ୍କକୁ କ୍ଷତି ପହଂଚାଇବା ସହ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଂଚାଇଥାଏ | ବହୁତ ଥର ଦେଖାଯାଏ ଯାହାଙ୍କୁ ସ୍ଲୀପ ଏପ୍ନିୟା ହୋଇଥାଏ ରାତିରେ ଶୋଇଲାବେଳେ ଘୁଙ୍ଗୁଡ଼ି ନେଉ ନେଉ ନିଶ୍ୱାସ ପ୍ରଶ୍ୱାସ ଅଟକିଯାଏ |






ଯେଉଁମାନେ ଅଧିକ ଘୁଙ୍ଗୁଡ଼ି ମାରୁଥାନ୍ତି ସେମାନଙ୍କ ରକ୍ତଚାପ ବଢ଼ିଯାଏ | ହୃଦ୍-ଘାତକ ହବାର ସମ୍ଭାବନା ଥାଏ | ରକ୍ତ ଠିକ ଭାବରେ ସଂଚାଳନ ହୋଇନଥାଏ | ନିଦ ଠିକ ଭାବରେ ହୋଇନଥାଏ | ଦିନରେ ଅଧିକ ନିଦ ଲାଗିଥାଏ, ଶୋଇବା ସମୟରେ ଛାତିରେ ଯନ୍ତ୍ରଣା ହେବା, ସକାଳେ ମୁଣ୍ଡ ବ୍ୟଥା ହେବା, ଇତ୍ୟାଦି ସ୍ଲୀପ ଏପ୍ନିୟାର ଲକ୍ଷଣ | ତେଣୁ ଏହିଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ |


ବର୍ତ୍ତମାନ ଘୁଙ୍ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପରୀକ୍ଷା ବାହାରିଗଲାଣି ଯେପରି ଡାଇନାମିକ ଏମ.ଆର.ଆଇ (Dynamic MRI), ସି.ଟି. ସ୍କାନ (CT scan), ନାସାଲ ଏନ୍ଡୋସ୍କୋପି (Nasal Endoscopy) ଇତ୍ୟାଦି | ଏହାଛଡ଼ା ଜୀବନ ଶୈଳୀରେ ମଧ୍ୟ କିଛି ପରିବର୍ତନ ଆଣିବା ଉଚିତ ଯେପରିକି ଓଜନ କମାଇବା, ଯୋଗ, ବ୍ୟାୟାମ କରିବା, ରାତିରେ ଅଧିକ ନ ଖାଇବା, ଧୁମ୍ରପାନ ତ୍ୟାଗ କରିବା , ଠିକ୍ ସମୟରେ ଶୋଇବା ଏବଂ କଡ଼ ଲେଉଟେଇ ଶୋଇବା ଉଚିତ | କିନ୍ତୁ ନିଜେ ଚିକିତ୍ସା କରିବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ |


ଘୁଙ୍ଗୁଡ଼ିର ସମସ୍ୟାର ମୁକାବିଲା ପାଇଁ ଅନେକ ଉଦ୍ଭାବନ ହୋଇଛି | କିନ୍ତୁ ସେହି ଉଦ୍ଭାବନଗୁଡ଼ିକର ଉନ୍ନତି ପାଇଁ ଅନୁସନ୍ଧାନ ଏବେ ମଧ୍ୟ ଜାରି ରହିଛି |


ଅନୁକମ୍ପା ଦାସ, RIHS, Bhograi

27 views0 comments

Comments


bottom of page