top of page
Search

ଅନ୍ତରୀକ୍ଷ ଆବର୍ଜନା (SPACE DEBRIS)

Updated: Oct 1, 2020


ଆଜି ପର୍ଯ୍ୟନ୍ତ 24 ଜଣ ମଣିଷ ଚନ୍ଦ୍ରରେ ପହଞ୍ଚିଛନ୍ତି | ଆମର ମହାକାଶଯାନଗୁଡିକ ସୌର ପ୍ରଣାଳୀ ଅତିକ୍ରମ କରି ସାରିଛନ୍ତି | କିନ୍ତୁ ଏହିପରି ସମସ୍ତ ମାଇଲଖୁଣ୍ଟ ମଧ୍ୟରେ, ଆମେ ଆମର ଅନେକ ଅଳିଆ ଆବର୍ଜନାକୁ ଅନ୍ତରୀକ୍ଷରେ ଛାଡି ଆସିଛୁ | ଠିକ୍ ଯେପରି ରାସ୍ତାଗୁଡ଼ିକ ନିୟମିତ ପରିଷ୍କାର ନ କଲେ ସମୟ କ୍ରମେ ଅପରିଷ୍କାର ହୋଇଯାଏ ସେହିଭଳି ଅନ୍ତରୀକ୍ଷ ଏହି ଆବର୍ଜନା ସହିତ ଦିନକୁ ଦିନ ଅପରିଷ୍କାର ହୋଇଚାଲିଛି ଏବଂ ବିପଜ୍ଜନକ ମଧ୍ୟ ହୋଇଚାଲିଛି |


ଅନ୍ତରୀକ୍ଷ ଆବର୍ଜନା (Space Debris) (ଅନ୍ତରୀକ୍ଷ ପ୍ରଦୂଷଣ କିମ୍ବା ଅନ୍ତରୀକ୍ଷ ବର୍ଜ୍ୟବସ୍ତୁ) ହେଉଛି ମନୁଷ୍ୟକୃତ ବସ୍ତୁ ଯାହା ମହାକାଶରେ ଭାସୁଅଛି ଏବଂ ଯାହା କୌଣସି କାର୍ଯ୍ୟରେ ଲାଗି ପାରୁ ନାହିଁ | ଯେତେବେଳେ ଘରେ କିଛି ବସ୍ତୁ କାମ କରେ ନାହିଁ କିମ୍ବା କିଛି ବସ୍ତୁ ଉପଯୋଗରେ ଆସେ ନାହିଁ, ତେବେ ତାକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଏ | କିନ୍ତୁ ଅନ୍ତରୀକ୍ଷରେ ଏପରି ଅଳିଆ କୁଣ୍ଡ ନାହିଁ | ତେଣୁ ଅନୁପଯୋଗି ଜିନିଷଗୁଡିକ ସେହିପରି ଭାସିବୁଲୁଛି |


ଏଥିରେ ବୃହତ ବସ୍ତୁ ଯେପରିକି ମୃତ ଅନ୍ତରୀକ୍ଷଯାନ, ଯାନର ହଜିଯାଇଥିବା ଉପକରଣ, ବୁଷ୍ଟର୍, ଅସ୍ତ୍ରଶସ୍ତ୍ର, ଏବଂ କ୍ଷୁଦ୍ର ବସ୍ତୁ ଯେପରିକି ଯାନରେ ଦିଆଯାଉଥିବା ରଙ୍ଗର ଛୋଟ ଅଂଶମାନ, ଯନ୍ତ୍ରପାତି ଇତ୍ୟାଦି ଅନ୍ତର୍ଭୁକ୍ତ | ଆସନ୍ତୁ ଜାଣିବା ଜଣେ ଆମେରିକୀୟ ମହାକାଶଚାରୀ ଏଡ ହ୍ୱାଇଟ (Ed White) ଙ୍କ ଘଟଣା | 1965 ମସିହାରେ ଜେମିନି 4 ବିମାନରେ “ସ୍ପେସ୍ ୱାକ” (Space Walk) କରିବା ସମୟରେ ଏକ ଦସ୍ତାନା (Glove) ହରାଇଥିଲେ।

2009 ମସିହାରେ ପ୍ରାୟ 22,300 ମିଲିମିଟର ବେଗରେ ଦୁଇଟି ଉପଗ୍ରହ ମୁହାଁମୁହିଁ ହୋଇଥିଲେ। ନିଷ୍କ୍ରିୟ ଋଷ ଉପଗ୍ରହ କସ୍ମୋସ୍ 2251 (Cosmos 2251) ଦ୍ୱାରା ଏହା ଘଟିଥିଲା ​​ଯାହା ସକ୍ରିୟ ଆମେରିକୀୟ ଯୋଗାଯୋଗ ଉପଗ୍ରହ ଇରିଡିୟମ୍ 33 (Iridium 33) କୁ ନଷ୍ଟ କରି ଦେଇଥିଲା। ଅନ୍ତରୀକ୍ଷ ଆବର୍ଜନା ହେତୁ ଘଟିଥିବା ଅନେକ ଦୁର୍ଘଟଣା ମଧ୍ୟରୁ ଏହା କେବଳ ଗୋଟିଏ | ଯଦି ଆମେ ସମସ୍ୟାର ଗମ୍ଭୀରତା ଜାଣିବାକୁ ଚାହୁଁଛୁ ତେବେ ଏଠାରେ ଆଉ ଏକ ଘଟଣା ବିଷୟରେ ଜାଣିବା ଆସନ୍ତୁ | ମହାକାଶଚାରୀ ଟିମ୍ ପିକ୍ (Tim Peake) ଏକ 7 ମିମି କ୍ଷୁଦ୍ର ଛିଦ୍ରର ଚିତ୍ର ଦେଖାଇଲେ ଯାହା ହୁଏତ ଏକ ରଙ୍ଗ ଖଣ୍ଡ କିମ୍ବା ଛୋଟ ଧାତୁ ଖଣ୍ଡ ଦ୍ୱାରା ଘଟିଛି ଯାହା ଏକ ମିମି ର ହଜାରେ ଭାଗରୁ ଅଧିକ ନୁହେଁ | 1 ସେମି ଆକାରର ଏକ ବସ୍ତୁ ମହାକାଶଯାନରେ ଏକ ଯନ୍ତ୍ର କିମ୍ବା ଏକ ଜଟିଳ ଉଡ଼ାଣ ପ୍ରଣାଳୀକୁ ଅକ୍ଷମ କରିପାରେ | 10 ସେମିରୁ ଅଧିକ ବଡ଼ ବସ୍ତୁ କିଛି ଉପଗ୍ରହ କିମ୍ବା ମହାକାଶଯାନକୁ ଖଣ୍ଡ ଖଣ୍ଡ କରିପାରେ |


ଭବିଷ୍ୟତର ମହାକାଶ ଅଭିଯାନକୁ ଆଖିରେ ରଖି ଆମକୁ ଏହି ପ୍ରମୁଖ ସମସ୍ୟାର ସମାଧାନ କରିବାକୁ ପଡିବ, ନଚେତ୍ ସେଦିନ ଦୂର ନୁହେଁ ଯେତେବେଳେ ମହାକାଶଚାରୀମାନଙ୍କ ଜୀବନ ମଧ୍ୟ ବିପଜ୍ଜନକ ହୋଇଯିବ |


ତେବେ ଏହାର ସମାଧାନ କ’ଣ? ଆସନ୍ତୁ ପ୍ରଥମେ ବୃହତ ଆବର୍ଜନା (ଯେପରିକି ଅକାମୀ ଉପଗ୍ରହ) ଉପରେ ଧ୍ୟାନ ଦେବା ଯାହା ପ୍ରକୃତ ବିପଦ ବହନ କରେ | ଆବର୍ଜନା ହ୍ରାସ କରିବାର ତିନୋଟି କୌଶଳ ଅଛି | ସେଗୁଡିକ ହେଲା -

1. ଆବର୍ଜନାକୁ ଜମା ହେବାରୁ ପ୍ରତିରୋଧ କରିବା

2. ଆବର୍ଜନାଗୁଡ଼ିକୁ ଆୟତ୍ତ କରିବା

3. ଆବର୍ଜନା ହଟାଇବା

  • ବର୍ଜ୍ୟବସ୍ତୁ ନଷ୍ଟ କରିବା

  • ଆବର୍ଜନାକୁ ପଥରୁ ବିଚ୍ୟୁତ କରିବା

ପ୍ରତିରୋଧରେ ତିନୋଟି ଉପାୟ ଅନ୍ତର୍ଭୁକ୍ତ | ପ୍ରଥମଟି ହେଉଛି ଉପଗ୍ରହଟିର ମୃତ୍ୟୁ ପରେ ସ୍ୱତଃ ବାୟୁମଣ୍ଡଳରେ ପୁନଃ ପ୍ରବେଶ | ପୃଥିବୀର ବାୟୁମଣ୍ଡଳ ଏହା ମଧ୍ୟରେ ଖସୁଥିବା ଯେକୌଣସି ଜିନିଷକୁ ଜଳାଇବା ପାଇଁ ଯଥେଷ୍ଟ ଘର୍ଷଣ ସୃଷ୍ଟି କରେ ଏବଂ ଯଦି ବସ୍ତୁଟି ଯଥେଷ୍ଟ ଛୋଟ ହୋଇଥାଏ ତେବେ କେବଳ ତାର ପାଉଁଶ ଭୂମିରେ ପହଞ୍ଚେ ଯାହା କ୍ଷତିକାରକ ନୁହେଁ | ଉପଗ୍ରହର କକ୍ଷପଥକୁ କମ୍ ଉଚ୍ଚରେ ରଖିବା ଏହି ପଦକ୍ଷେପକୁ ସହଜ କରିଥାଏ | ଦ୍ୱିତୀୟଟି ହେଉଛି ଉପଗ୍ରହକୁ ତାର କକ୍ଷପଥରୁ ଅନ୍ଯ ଏକ କକ୍ଷପଥକୁ ବିଚ୍ୟୁତ କରିବା ଯାହା ସାଧାରଣ କାର୍ଯ୍ୟକ୍ଷମ କକ୍ଷପଥଠାରୁ ଦୂରରେ ଥାଏ | ତୃତୀୟ ଉପାୟ ହେଉଛି ଉପଗ୍ରହ କିମ୍ବା ଏହିପରି କୌଣସି ଅନ୍ତରୀକ୍ଷଯାନକୁ ଅଧିକ ବ୍ୟବହାର ପାଇଁ ସିଧାସଳଖ ପୃଥିବୀକୁ ଫେରାଇ ଆଣିବା |


ଆୟତ୍ତ କରିବା ପ୍ରଣାଳୀରେ ଅନେକ କୌଶଳ ଅନ୍ତର୍ଭୁକ୍ତ | ଆୟତ୍ତ ପରୋକ୍ଷ (ଯୋଗାଯୋଗହୀନ) ହୋଇପାରେ (ଯେପରିକି ବୈଦ୍ୟୁତିକ ଚାର୍ଜ, ମାଧ୍ୟାକର୍ଷଣର ବ୍ୟବହାର) ଯାହାର ଅର୍ଥ ହେଉଛି ଯେଉଁ ମେସିନ୍ ଆବର୍ଜନା ଅପସାରଣ କରିବ ତାହା ଆବର୍ଜନା ସହିତ ସିଧାସଳଖ ଯୋଗାଯୋଗ କରିବ ନାହିଁ | ବରଂ ଏହା ଏହାର ଏକ ନିର୍ଦ୍ଦିଷ୍ଟ ଅଂଶ କିମ୍ବା ଅନ୍ୟ କୌଣସି ଦିଗରେ ଏହାର ମାଧ୍ୟାକର୍ଷଣ, କିମ୍ବା ଚୁମ୍ବକୀୟ ଗୁଣ ବ୍ୟବହାର କରି କିମ୍ବା ଚାର୍ଜରେ ପାର୍ଥକ୍ୟ ଉତ୍ପାଦନ କରି ଆବର୍ଜନାଗୁଡ଼ିକୁ ଆକର୍ଷିତ କରିବ | ରୋବୋଟିକ୍ ବାହୁ, ଜାଲ, ଦଉଡି, ଅଠାଳିଆ ସାମଗ୍ରୀ ଇତ୍ୟାଦି ଆୟତ୍ତର ପ୍ରତ୍ୟକ୍ଷ ପ୍ରଣାଳୀର ଅନ୍ତର୍ଭୁକ୍ତ |


ଆବର୍ଜନା ଅପସାରଣ ଦୁଇଟି ସମ୍ଭାବ୍ୟ ସମାଧାନ ସହିତ ଜଡିତ | ବିସ୍ଫୋରଣ କରି ଆବର୍ଜନାଗୁଡ଼ିକୁ ନଷ୍ଟ କରିବା ଦ୍ୱାରା ଏକ ଆବର୍ଜନା ଛୋଟ ଖଣ୍ଡରେ ପରିଣତ ହେବାର ଆଶଙ୍କା ରହିଥାଏ | ପୁନଶ୍ଚ ଏହି ଛୋଟ ଖଣ୍ଡଗୁଡ଼ିକ ମହାକାଶରେ ଅଧିକ ଗତି ହେତୁ ଅନ୍ୟ ଉପଗ୍ରହକୁ କ୍ଷତି ପହଞ୍ଚାଇବାର କ୍ଷମତା ରଖିଛି | ସାଧାରଣତଃ ଏକ ରଙ୍ଗ ଖଣ୍ଡ କିମ୍ବା ଛୋଟ ଧାତୁ ଖଣ୍ଡ ବନ୍ଧୁକ ଗୁଳିଠାରୁ 8 ଗୁଣରୁ ଅଧିକ ବେଗରେ ଯାତ୍ରା କରିପାରେ ଏବଂ ଉପଗ୍ରହରେ ଫାଟ ସୃଷ୍ଟି କରିପାରେ | ଛୋଟ ଆବର୍ଜନା ଏକ ବଡ଼ ଆବର୍ଜନା ଅପେକ୍ଷା କମ ବିପଜ୍ଜନକ | ବିସ୍ଫୋରଣ କରାଇବା ଦ୍ୱାରା, ବଡ଼ ଆବର୍ଜନାଗୁଡ଼ିକର କିଛି ଅଂଶ ପୃଥିବୀର ବାୟୁମଣ୍ଡଳକୁ ଆସିପାରେ ଯଦ୍ୱାରା ଆବର୍ଜନା ଜମାର ସାନ୍ଧ୍ରତା କମ କରାଯାଇପାରେ |


ଅନ୍ୟ ବିକଳ୍ପ ତୁଳନାରେ ଆବର୍ଜନା ପଥକୁ ବିଚ୍ୟୁତ କରିବା ସବୁଠାରୁ ସୁରକ୍ଷିତ ମନେହୁଏ | ଏହି ପଦ୍ଧତିରେ ଆବର୍ଜନାଗୁଡିକ ଏହାର ପଥରୁ ବିଚ୍ଛିନ୍ନ ହୋଇ ଯାଆନ୍ତି ଯାହା ଦ୍ୱାରା ସେମାନେ ପୃଥିବୀ ଆଡକୁ ଆସି ବାୟୁମଣ୍ଡଳରେ ଜଳିଯାଆନ୍ତି କିମ୍ବା ସମୁଦ୍ରରେ ପଡ଼ନ୍ତି | ଏହି ପଦ୍ଧତିରେ ଉପଗ୍ରହର ଗତି ହ୍ରାସ କରିବା ପାଇଁ ଉଚ୍ଚ ଶକ୍ତି ଲେଜର (Laser), ଆୟନ ବିକୀରଣ (ion beam) କିମ୍ବା ଏହିପରି କୌଣସି କୌଶଳ ବ୍ୟବହୃତ ହୁଏ ଯାହା ଦ୍ୱାରା ଉପଗ୍ରହ ପୃଥିବୀକୁ ପୁନଃ ପ୍ରବେଶ କରିପାରିବ କିମ୍ବା ଉପଗ୍ରହକୁ ହଟାଇବା ପାଇଁ ତାକୁ ସିଧାସଳଖ ପୃଥିବୀ ଆଡ଼କୁ ଠେଲିବ |


ଏହି ପଥରେ ଅନେକଗୁଡ଼ିଏ ପ୍ରକଳ୍ପ ଏବଂ ଅଭିନବ କାର୍ଯ୍ୟ ଚାଲିଛି | ଏହାର ସମାଧାନ ଖୋଜୁଥିବା ଅନେକ ବୈଜ୍ଞାନିକମାନଂକ ମଧ୍ୟରେ ଆପଣ ମଧ୍ୟ ଜଣେ ହୋଇପାରିବେ | ତେଣୁ ଶିଖୁଥାନ୍ତୁ ଏବଂ ଚେଷ୍ଟା ଜାରି ରଖିଥାନ୍ତୁ |


ବର୍ଣ୍ଣାଳୀ ଦାସ, IISER, Kolkata

43 views0 comments

Comments


bottom of page